fbpx

ଆସନ୍ତା ଶିକ୍ଷାବର୍ଷରୁ RBI ଆରମ୍ଭ କରିବ ‘Frictionless Credit’ ବ୍ୟବସ୍ଥା: ସହଜରେ ଶିକ୍ଷାଋଣ ପାଇବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଏଣିକି ଶିକ୍ଷାଋଣ ପାଇବାକୁ ଆଉ ବ୍ୟାଙ୍କ ପଛରେ ଗୋଡ଼େଇବାକୁ ପଡ଼ିବ ନାହିଁ । ଆଗାମୀ ଦିନରେ ସହଜରେ ମିଳିପାରିବ ଶିକ୍ଷାଋଣ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆସନ୍ତାବର୍ଷରୁ ‘ଫ୍ରିକ୍ସନଲେସ କ୍ରେଡିଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଋଣ ଆବେଦନ ପ୍ରକ୍ରିୟା ଅଧିକ ସହଜ ଓ ସଂଗଠିତ ହୋଇପାରିବ । ଫଳରେ ଛାତ୍ରଛାତ୍ରୀମାନେ ସହଜରେ ଆବେଦନକରିପାରିବେ ।

‘ଫ୍ରିକ୍ସନଲେସ କ୍ରେଡିଡ’ ବ୍ୟବସ୍ଥାରେ ଗ୍ରାହକଙ୍କୁ ଅଧିକ କାଗଜପତ୍ର କାମ ଓ ଜଟିଳ ପ୍ରକ୍ରିୟାରୁ ମୁକ୍ତି ମିଳିବ । ଆରବିଆଇ ଏହି ଅଭିଯାନ ମାଧ୍ୟମରେ ସମସ୍ତଙ୍କ ନିକଟରେ ଆର୍ଥିକ ସୁବିଧା ପହଞ୍ଚାଇବାକୁ ପ୍ରୟାସ କରୁଛି । ଏହି ଯୋଜନାର ଏକ ଅଂଶ ଭାବେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ଇନୋଭେସନ ହବ୍ ସ୍ଥାପନ କରାଯାଇଛି । ତାହା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ଋଣ ପରିଶୋଧ କ୍ଷମତା ବିଷୟରେ ସହଜରେ ଜାଣିପାରିବେ ।

ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କୃଷି ଓ ଦୁଗ୍ଧ ଋଣ ପାଇଁ ଲାଗୁ କରାଯାଇଥିବା ବେଳେ ୨୦୨୪-୨୫ ଶିକ୍ଷା ବର୍ଷରୁ ଏହାକୁ ଶିକ୍ଷା ଋଣ କ୍ଷେତ୍ରରେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାକୁ ପ୍ରଥମେ ଏକ ପାଇଲଟ ଯୋଜନା ଭାବେ ଆରମ୍ଭ କରାଯାଇଥିଲା । ଏହା ମଧ୍ୟରେ ଗତ ଅଗଷ୍ଟ ମାସରେ ତାହା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟ ପରି ୪ଟି ରାଜ୍ୟକୁ ବିସ୍ତାରିତ କରାଯାଇଥିଲା । ଏହି ପାଇଲଟ୍ ଲଞ୍ଚ ଫଳରେ ଋଣ ପ୍ରଦାନକାରୀଙ୍କର ୭୦ ପ୍ରତିଶତରୁ ଅଧିକ ସଞ୍ଚାଳନ ଖର୍ଚ୍ଚ ହ୍ରାସ ପାଇବ । ଏଥିସହିତ କୃଷକମାନେ ଲୋନ ଅର୍ଥର ୬ ପ୍ରତିଶତ ସଞ୍ଚୟ କରିପାରିବେ ବୋଲି ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ କିମାର ଚୌଧରୀ କହିଛନ୍ତି ।

Get real time updates directly on you device, subscribe now.