fbpx

ଜୁନ ପରେ ଭାରତରେ ଆସିପାରେ ମାନ୍ଦାବସ୍ଥା: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ପରେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇପାରେ । ତେଣୁ ଏପରି ସ୍ଥିତିରେ ମାନ୍ଦାବସ୍ଥାର ପ୍ରଭାବ ଯେପରି ଭାରତୀୟଙ୍କ ଉପରେ ନ ପଡ଼ିବ ସେନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ ମନ୍ତ୍ରୀ ନାରାୟଣ ରାଣେ ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ଶ୍ରୀ ରାଣେ କହିଛନ୍ତି ଯେ, ଆଗକୁ ଆସିବାକୁ ଥିବା ଗ୍ଲୋବାଲ ମାନ୍ଦାବସ୍ଥା ଯୋଗୁଁ ବିଶ୍ୱର ଅନେକ ବିକଶିତ ରାଷ୍ଟ୍ର ପ୍ରଭାବିତ ହୋଇପାରନ୍ତି । ଏହି ମାନ୍ଦାବସ୍ଥା ଆସନ୍ତା ଜୁନ ମାସ ପରେ ଆସିବାର ସମ୍ଭାବନା ରହିଛି । ତେଣୁ ଦେଶର ନାଗରିକଙ୍କ ଉପରେ ଏହାର ପ୍ରଭାବ ଯେପରି ନପଡ଼ିବ, ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହୋଇଥିବା ଜି୨୦ ଭିତ୍ତିଭୂମି କାର୍ଯ୍ୟକାରୀ ଗୋଷ୍ଠୀ (ଆଇଡବ୍ଲ୍ୟୁଜି)ର ଦୁଇଦିନିଆ ବୈଠକରେ ରାଣେ ଯୋଗଦେଇ ମାନ୍ଦାବସ୍ଥ ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ସମୟରେ ମଧ୍ୟରେ ବିଶ୍ୱର କିଛି ରାଷ୍ଟ୍ର ମାନ୍ଦାବସ୍ଥାର ସାମ୍ନା କରୁଛନ୍ତି । ସମ୍ଭାବ୍ୟ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଶିଳ୍ପ କ୍ଷେତ୍ରରେ ଚାକିରି ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି । ଜି-୨୦ ବୈଠକ ଦୀର୍ଘ ଅବଧି ଓ ସ୍ଥିର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

୨୦୨୨ ମସିହା ଡିସେମ୍ବର ମାସ ୧ ତାରିଖ ଠାରୁ ୨୦୨୩ ମସିହା ନଭେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ଜି୨୦ର ଅଧ୍ୟକ୍ଷ ଦାୟତ୍ୱ ସମ୍ଭାଳିବ । ତେବେ ପୁଣେଠାରେ ଅନୁଷ୍ଠିତ ଏହି ବୈଠକରେ ଆଇଡବ୍ଲ୍ୟୁଜି ସଦସ୍ୟ ରାଷ୍ଟ୍ରର ୬୫ ଜଣ ପ୍ରତିନିଧି, ଅତିଥି ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂସ୍ଥାମାନେ ଯୋଗଦେଇଥିଲେ । ଏହି ଅବସରରେ ଭାରତର ଜି୨୦ ଅଧ୍ୟକ୍ଷତା ଅଧିନରେ ୨୦୨୩ର ଭିତ୍ତିଭୂମି ଉପରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.