fbpx

ପ୍ରକୃତିର ବିଚିତ୍ର ସୃଷ୍ଟି ‘ନାଲି ଟୁକୁଟୁକୁ ସାଧବ ବୋହୂ’

ଆଶା ଓ ସମୃଦ୍ଧିର ପ୍ରତୀକ 'ସାଧବ ବୋହୂ’

ବାଲିମେଳା (ଓଡ଼ିଶା ଭାସ୍କର): ସରିଯାଇଛି ଗ୍ରୀଷ୍ମର ପ୍ରକୋପ । ମୌସୁମୀର ଆଗମନ ସହ ଭିଜୁଛି ଧରିତ୍ରୀ । ଥୁଣ୍ଟା ଗଛରେ କଅଁଳିବାକୁ ଆରମ୍ଭ କରିଛି ପତ୍ର ଏଭଳି ମନୋରମ ମୁହୂର୍ତ୍ତରେ ମାଟି ଓ ପାଣିର ମିଳନରେ ଜନ୍ମ ନେଇଛି ପ୍ରକୃତିର ବିଚିତ୍ର ସୃଷ୍ଟି । ମଖମଲର ସ୍ପର୍ଶ ଆଉ ପୃଥିବୀ ପୃଷ୍ଠର ସବୁଠୁ କୋମଳ ଜୀବ ନାଲି ଟୁକୁଟୁକୁ ସାଧବବୋହୁ ଯାହାକୁ ଆମେ ( ପାଟପୋକ ) ବୋଲି କହିଥାଉ । ସବୁଜ ଘାସରେ ନିରୀହ ବିଚରଣ ବିମୋହିତ କରିଦିଏ କବି ଓ ଗାଳ୍ପିକର ମନକୁ କବିର କଳ୍ପନା ଓ ଗାଳ୍ପିକର ଭାବନାକୁ ଆନ୍ଦୋଳିତ କରିଦିଏ ଏହି କ୍ଷୁଦ୍ର କୀଟ ମୌସୁମୀର ପହିଲି ସ୍ପର୍ଶରେ ଉତ୍‌ଫୁଲିତ ହୋଇଉଠିଛି ସାଧବବୋହୂ ନାମଧାରୀ କ୍ଷୁଦ୍ର ଜୀବଟି ।

ମାଲକାନଗିରି ଜିଲ୍ଲାର ପ୍ରାୟ ଅଞ୍ଚଳର ବିଭିନ୍ନ ବଣ ଜଙ୍ଗଲରେ ନାଲି ଟୁକୁଟୁକୁ ସାଧବ ବୋହୂକୁ ଦେଖିବା ଏତେ ସହଜ ନ ଥିଲେ ମଧ୍ୟ କାଁ ଭାଁ କେଉଁଠି ଏହା ଦେଖାଯାଇଥାଏ । ବିଶେଷକରି ଜୁନ୍‌ ମାସରେ ପହିଲି ବର୍ଷା ପରେ ପରେ ଏହା ଲୋକଲୋଚନକୁ ଆସିଥାଏ । ମାଟି ଭିତରେ ଲୁଚି ରହିଥିବା ଏହି ସୁନ୍ଦର ପୋକ ଏବେ ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଯେଉଁଠି ଏହା ଲୋକଲୋଚନକୁ ଆସିଛି ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ପରିବେଶ ପ୍ରଦୂଷଣ ଓ କଂକ୍ରିଟ ଜଙ୍ଗଲ ଭିତରେ ହଜିବାକୁ ବସିଲାଣି ଏହି ସୁନ୍ଦର ସାଧବବୋହୂ । ଏଥିପ୍ରତି ପରିବେଶବିତ୍‌ ଏବେଠାରୁ ଦୁଷ୍ଟି ନ ଦେଲେ ଆଗାମୀ ପିଢ଼ି ପାଇଁ ଏହି ସୁନ୍ଦର କୀଟ ଏକ କଳ୍ପନା ଭିତରେ ରହିଯିବାର ଆଶଙ୍କା ପ୍ରକାଶ ପାଇଛି ।

Get real time updates directly on you device, subscribe now.