ବନ୍ଧୁତା ପାଇଁ ମନା କରିଲେ… ମହିଳାଙ୍କୁ ଏକାଧିକ ଥର ଛୁରୀ ଭୁଶିଲେ ଯୁବକ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଛୋଟ ଛୋଟ କଥାକୁ ନେଇ କିଛି ବ୍ୟକ୍ତି ହିତାହିତ ଜ୍ଞାନ ଭୁଲିଯାଉଛନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ କ୍ରୋଧ ବଶତଃ ସାମ୍ନା ବ୍ୟକ୍ତି ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାଁନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ତିଲକ ନଗରରେ । ବନ୍ଧୁତା ଅସ୍ୱୀକାର କରିବାରୁ ଜଣେ ଯୁବକ ମହିଳାଙ୍କୁ ଅନେକ ଥର ଛୁରା ମାଡ଼ କରିଥିଲେ । ବର୍ତ୍ତମାନ ମହିଳା ଜଣଙ୍କ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚାନରୁ ପ୍ରକାଶ ଦିଲ୍ଲୀ ତିଲକ ନଗରରେ ଜଣେ ମହିଳା(୩୦) ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି । ରବିନ୍ଦର ସିଂହ(୩୬) ନାମକ ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କ ସହ ଜବରଦସ୍ତି ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଥିଲା । ଏଥିପାଇଁ ସେ ବିଭିନ୍ନ ସମୟରେ ମହିଳାଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିଲା । ଏଥିରେ ଅତିଷ୍ଟ ହୋଇ ମହିଳା ଜଣଙ୍କ ରବିନ୍ଦରଙ୍କ ନାଁରେ ଥାନାରେ ଏତଲା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏମିତି କିଛି କରିବାକୁ ଯୁବକଙ୍କ ଭଉଣୀ ମହିଳାଙ୍କୁ ଅଟକାଇଥିଲେ । ସେପଟେ ଯୁବକ ଜଣଙ୍କ ପ୍ରଥମେ ବନ୍ଧୁତାକୁ ଅସ୍ୱୀକାର କରିବା ଏବଂ ପରେ ଥାନାରେ ଅଭିଯୋଗ କଥାକୁ ନେଇ ଅସନ୍ତୁଷ୍ଟ ଥିଲେ । ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ସେ ସୋମବାର ପୂର୍ବାହ୍ନ ୧୧:୩୦ରେ ଉକ୍ତ ମହିଳାଙ୍କ ଘରେ ପ୍ରବେଶ କରିଥିଲା । ସେତେବେଳେ ଘରେ କେହି ନଥିଲେ । ଏହି ସମୟରେ ଯୁବକ ଜଣଙ୍କ ମହିଳାଙ୍କୁ ଅନେକ ଥର ଛୁରି ଭୁଶିଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଉକ୍ତ ଯୁବକଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ଘଟଣାସ୍ଥଳରୁ ଛୁରୀ ଜବତ କରିଥିଲା ପୋଲିସ । ତେବେ ପୀଡ଼ିତାଙ୍କ ସ୍ୱାମୀଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀଙ୍କୁ ୨୫ ଥର ଛୁରି ଭୁଶାଯାଇଥିଲା । ସେପଟେ ପୋଲିସ ୧୨ ଥର ଛୁରୀ ଭୁଶିଥିବା କଥା କହିଛି । ପୋଲିସଙ୍କ କହିବାନୁଯାୟୀ ଅଭିଯୁକ୍ତ ହେଉଛନ୍ତି ଜଣେ ମୋଟର ମେକାନିକ୍ । ସେ ପୀଡ଼ିତାଙ୍କ ପଡ଼ିଶା ଘରେ ନିଜ ନାନୀ ଓ ଭେଣେଇଙ୍କ ସହ ରହୁଥିଲେ । ପ୍ରାଥମିକ ତଦନ୍ତରୁ ପ୍ରକାଶ କି ପୀଡ଼ିତା ଜଣଙ୍କ ୨ ବର୍ଷ ପୁର୍ବରୁ ତାଙ୍କ ସ୍ୱାମୀ ଓ ୨ ପିଲାଙ୍କ ସହ ଏଠାରେ ରହିବା ପାଇଁ ଆସିଥିଲେ । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.