ନୂଆଦିଲ୍ଲୀ: ଭାରତ ସରକାର ଦେଶରେ ପ୍ରଦୂଷଣକୁ ରୋକିବା ପାଇଁ ଜୋରଦାର୍ ପ୍ରୟାସ କରୁଛନ୍ତି । ଏଣୁ କରି ଏପ୍ରିଲ୍ ୧ ତାରିଖରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଗାଡ଼ି ମାଲିକଙ୍କ ପାଇଁ କ୍ଷତି ଆଣିପାରେ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର କହିବାନୁସାରେ, ଏପ୍ରିଲ୍ ୧ ତାରିଖରୁ ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ୍ ରିନ୍ୟୁ କରିବା ୮ ଗୁଣ ମହଙ୍ଗା ହୋଇଯିବ । ଏହି ନୂଆ ନିୟମ ଅଧୀନରେ ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ରହିବ । ଏପରି ସ୍ଥଳେ ଗାଡ଼ି ଗୁଡ଼ିକର ଫିଟନେସ୍ ଟେଷ୍ଟ୍ ବାଧ୍ୟତାମୂଳକ ହେବ ଓ ରେଜିଷ୍ଟ୍ରେସନ୍ ରିନ୍ୟୁ କରିବା ମଧ୍ୟ ମହଙ୍ଗା ହେବ ।
ସୂଚନା ଯେ, ୧୫ ବର୍ଷ ପୁରୁଣା କାର୍ ର ରେଜିଷ୍ଟ୍ରେସନ୍ ରିନ୍ୟୁ କରିବା ପାଇଁ ପୂର୍ବରୁ ୬୦୦ ଟଙ୍କା ଲାଗୁଥିଲା । ହେଲେ ଏବେ ଏହା ୫ହଜାର ହେବ । ସେହିପରି ପୁରୁଣା ବାଇକ୍ ରିନ୍ୟୁ କରିବା ପାଇଁ ୩୦୦ ଟଙ୍କା ଲାଗୁଥିଲା । ହେଲେ ନୂଆ ନିୟମ ଲାଗୁ ହେବାପରେ ଏହାକୁ ୧୦୦୦ ଟଙ୍କା କରିଦିଆଯିବ । ଏହାସହ ଟ୍ରକ୍ ବସ୍ କ୍ଷେତ୍ରରେ ପୁରୁଣା ଗାଡ଼ି ର ରେଜିଷ୍ଟ୍ରେସନ୍ ରିନ୍ୟୁ କରିବାକୁ ୧୫୦୦ ଟଙ୍କା ଲାଗୁଥିଲା । ହେଲେ ଏପ୍ରିଲ୍ ୧ ଠାରୁ ଏଥିପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ । ଛୋଟ ପାସେଞ୍ଜର୍ ଗାଡ଼ି ଗୁଡ଼ିକୁ ରିନ୍ୟୁ କଲେ ୧୩୦୦ ଟଙ୍କା ଲାଗୁଥିଲା କିନ୍ତୁ ଏବେ ୧୦ ହଜାର ଟଙ୍କା ଶୁଳ୍କ ଲଗାଯିବ ।
ଖାଲି ସେତିକି ନୁହେଁ ପ୍ରାଇଭେଟ୍ ଓ କମର୍ସିଆଲ୍ ଗାଡ଼ି ର ୱିଣ୍ଡସିଲ୍ଡ୍ ରେ ଫିଟନେସ୍ ସାର୍ଟିଫିକେଟ୍ ପ୍ଲେଟ୍ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହି ଫିଟନେସ୍ ପ୍ଲେଟ୍ ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟ୍ ଭଳି ହେବ ଯେଉଁଥିରେ ଫିଟନେସ୍ ଏକ୍ସପାଇରି ତାରିଖ ସ୍ପଷ୍ଟ ଲେଖାହୋଇଥିବ । ଏଥିରେ ନୀଳ ରଙ୍ଗର ଷ୍ଟିକର୍ ଉପରେ ହଳଦିଆ ରଙ୍ଗରେ ଲେଖାଯିବ ଯେ, ଗାଡ଼ି କେତେ ଦିନ ପର୍ଯ୍ୟନ୍ତ ଫିଟ୍ ରହିବ । ତାରିଖ-ମାସ-ବର୍ଷ ପାଟର୍ନରେ ଲେଖାରହିବ ବୋଲି ଜଣାପଡ଼ିଛି ।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ନୂଆ ନିୟମ ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ ଜାରି କରିଛନ୍ତି । ଏବେ ଏକ ମାସ ପର୍ଯ୍ୟନ୍ତ ଜନତା ଓ ଷ୍ଟକହୋଲ୍ଡର୍ସଙ୍କ ଠାରୁ ସେମାନଙ୍କ ମତାମତ ମଗାଯାଇଛି । ଏହାପରେ ଯାଇ ନିୟମ ଲାଗୁ ହେବ । ସରକାର ଏହି ନୂଆ ନିୟମରେ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଓ ୧୫ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ିକୁ ବନ୍ଦ କରିବା ନେଇ ମଧ୍ୟ ପ୍ରାବଧାନ ଲାଗୁ କରିପାରେ । ଏହାଦ୍ୱାରା ଯେଉଁ ମାନେ ୨୦ରୁ ୩୦ ବର୍ଷ ପୁରୁଣା ଗାଡ଼ି ଚଲାଉଛନ୍ତି ସେମାନଙ୍କ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ ।