fbpx

ମହଙ୍ଗା ମୋବାଇଲ୍ ଶୁଳ୍କରୁ ମିଳିବ ମୁକ୍ତି; ସ୍ପଷ୍ଟ କଲା ଟ୍ରାଇ, ଲାଭବାନ ହେବେ ଏହି ଉପଭୋକ୍ତା

ମୁମ୍ୱାଇ: ମହଙ୍ଗା ମୋବାଇଲ ଶୁଳ୍କ ଯୋଗୁଁ ଅସୁବିଧାରେ ପଡ଼ିଥିବା ସାଧାରଣ ଗ୍ରାହକଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିପାରେ। ଏଥିପାଇଁ ଟେଲିକମ୍ ନିୟାମକ ଟ୍ରାଇ ଟେଲିକମ୍ କଂପାନିଗୁଡ଼ିକୁ ଏକ ପ୍ରସ୍ତାବ ଦେଇଛି। ଗ୍ରାହକଙ୍କ ପାଇଁ ବିନା ଡାଟା ଅର୍ଥାତ୍ କେବଳ ଭଏସ୍ ଓ ଏସ୍ ଏମ୍ ଏସ୍ ରେ ପ୍ୟାକ୍ ଲଞ୍ଚ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଏପରି ହେଲେ ଗ୍ରାହକଙ୍କ ଉପରେ ରିଚାର୍ଜ ର ବୋଝ ହ୍ରାସ ପାଇବ। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଶୁକ୍ରବାର କହିଛି। ବଜାରରେ ଅଫର ଆସୁଛି, ଯେଉଁଥିରେ ଡାଟା, ଭଏସ୍, ଏସ୍ଏମ୍ଏସ୍ ଏବଂ ଓଟିଟି ସେବା ରହିଛି।

ଏହି ଅଫରଗୁଡିକ ବହୁ ସଂଖ୍ୟକ ଗ୍ରାହକଙ୍କ କାମରେ ଆସେ ନାହିଁ, କାରଣ ସବୁ ଗ୍ରାହକ ଏ ସମସ୍ତ ସେବା ବ୍ୟବହାର କରନ୍ତି ନାହିଁ ବା କରିବା ଜାଣନ୍ତି ନାହିଁ। ଏଭଳି ପରିସ୍ଥିତିରେ ସେମାନେ କାହିଁକି ଏତେ ଟଙ୍କା ଦେବେ, ସେନେଇ ଏକ ଧାରଣା ସୃଷ୍ଟି ହୋଇଛି। ବାସ୍ତବରେ ଏବେ ବି ବହୁ ସଂଖ୍ୟକ ମୋବାଇଲ ବ୍ୟବହାରକାରୀ ଅଛନ୍ତି ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ। ଆଉ 2G ଫୋନ୍ ଚଳାଉଥିବା ଉପଭୋକ୍ତାମାନେ ନା ଓଟିଟି ସେବା ବ୍ୟବହାର କରନ୍ତି ନା ସେମାନଙ୍କୁ ଡାଟା ଆବଶ୍ୟକ ହୁଏ । ସେମାନେ ବି ଅଧିକ ଟଙ୍କାର ରିଚାର୍ଜ କରୁଛନ୍ତି ଯେହେତୁ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

ବର୍ତ୍ତମାନ ତିନି ପ୍ରମୁଖ ଟେଲିକମ୍ କମ୍ପାନି ମୋବାଇଲ୍ ବ୍ୟବହାରକାରୀଙ୍କୁ ମୁଖ୍ୟତଃ ବର୍ଦ୍ଧିତ ପ୍ଲାନ୍ ପ୍ରଦାନ କରୁଛନ୍ତି। ସବୁଠାରୁ ଶସ୍ତା ପ୍ଲାନରେ ମଧ୍ୟ କଂପାନୀମାନେ ଡାଟା ଦେଉଛନ୍ତି । ଏଭଳି ପରିସ୍ଥିତିରେ ଯେଉଁ ବ୍ୟବହାରକାରୀ ଡାଟା ବ୍ୟବହାର କରନ୍ତି ନାହିଁ ଅର୍ଥାତ୍ ଯେଉଁମାନେ 2G ଫୋନ୍ ଚଳାନ୍ତି ସେମାନଙ୍କୁ ପ୍ଲାନ୍ ମହଙ୍ଗା ହୋଇଯାଏ ଏବଂ ଏହାକୁ ବ୍ୟବହାର ନକରି ଡାଟା ପାଇଁ ଦେୟ ଦେବାକୁ ପଡ଼ିଥାଏ। ଟ୍ରାଇର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଏଭଳି ଉପଭୋକ୍ତାମାନେ ବହୁତ ଲାଭବାନ ହେବେ।

Get real time updates directly on you device, subscribe now.