ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ମିଛ କହୁଛନ୍ତି କି ସୁରକ୍ଷା କର୍ମଚାରୀ? କଥାରେ ରହୁନି ତାଳମେଳ
ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ । ସୁରକ୍ଷା କର୍ମଚାରୀଙ୍କୁ ଜେରା ।
ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଣିଥରେ ଆରମ୍ଭ ହେଲା ଖୋଳତାଡ଼ । ପୁନଃ ତଦନ୍ତ ଆରମ୍ଭ ହୋଇଛି ।
ପ୍ରଥମେ ଏତଲା ଦେଇଥିବା ନବଙ୍କ ସୁରକ୍ଷା କର୍ମଚାରୀଙ୍କୁ ଆଜି ଜେରା କରାଯାଇଥିବା ସୂଚନା ରହିଛି । ସୁରକ୍ଷା କର୍ମଚାରୀ ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀ ଜେରା କରିଥିବା ସୂଚନା ରହିଛି ।
ତେବେ ଘଟଣା ଦିନର ଲିଖିତ ଅଭିଯୋଗ ସମ୍ପର୍କରେ କହି ପାରିଲେନି ହେମସାଗର । ଜେରା ବେଳେ କଥାରେ ତାଳମେଳ ରହୁନଥିବା ଜଣାପଡ଼ିଛି । ହେମସାଗରଙ୍କ ବୟାନ ଆଧାରରେ କାଲି ଆଉ କିଛି ଲୋକଙ୍କୁ ଜେରା ହୋଇପାରେ ବୋଲି ସୂଚନା ମିଳିଛି ।
ପ୍ରକାଶଥାଉକି, ଲଳିତ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁରେ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରୋଷୟା ଭାବରେ କାମ କରୁଥିଲେ । ୨୦୨୨ ଏପ୍ରିଲ ୧୭ ତାରିଖ ସନ୍ଧ୍ୟାରେ ତାଙ୍କ ମୃତଦେହ ମନ୍ତ୍ରୀଙ୍କ ସରକାରୀ ବାସଭବନରୁ ମିଳିଥିଲା ।
ତେବେ ଘଟଣାକୁ 3 ବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ମଧ୍ୟ ଖୋଲିପାରିନି ଗୁମର । ଅସହାୟ ବାପା ମାଆ ନିରପେକ୍ଷ ତଦନ୍ତ ପାଇଁ ଦାବି କରୁଥିବା ବେଳେ ଆଜି ପୁଣି ସୁରକ୍ଷା କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ।