fbpx

Relationship Tips: ପାର୍ଟନରଙ୍କ ଏଭଳି ବ୍ୟବହାରକୁ କରନ୍ତୁ ନାହିଁ ଅଣଦେଖା, ନଚେତ୍ କରିବେ ଅନୁତାପ

ଓଡ଼ିଶା ଭାସ୍କର: ସମ୍ମାନ ଓ ବିଶ୍ୱାସ ଆଧାରରେ ସମ୍ପର୍କ ଦୀର୍ଘାୟୁ ହୋଇଥାଏ । କିନ୍ତୁ ଆଜିକାଲି ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବିଶେଷ କରି ଯୁବପିଢ଼ିମାନେ ଟିକେ ଟିକେ କଥାରେ ପାର୍ଟନରଙ୍କ ଉପରେ ସବୁବେଳେ କ୍ରୋଧିତ ହୋଇଥାନ୍ତି । ପ୍ରତି ସମ୍ପର୍କରେ କିଛି ନା କିଛି ଆଡଜଷ୍ଟମେଣ୍ଟ ଆବଶ୍ୟକତା ଥାଏ । କିନ୍ତୁ ତା’ମାନେ ନୁହେଁ କି ପାର୍ଟନରଙ୍କ ଭୁଲକୁ ସହିବା । ଏମିତି ହେଲେ ସମ୍ପର୍କ Toxic ହୋଇଯାଏ । ଆପଣ ଏହି ସମ୍ପର୍କରେ ଥିଲେ ବି ପରସ୍ପର ପ୍ରତି ଭଲପାଇବା ଭାବନା ନଥାଏ । ଏଭଳି ସ୍ଥିତିରେ ସମ୍ପର୍କ ଭାଙ୍ଗି ଦେବା ହିଁ ଉଚିତ ନିଷ୍ପତ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାର୍ଟନରଙ୍କ କେଉଁ ସବୁ ବ୍ୟବହାରକୁ ଅଣଦେଖା କରିବା ଉଚିତ ନୁହେଁ ।

୧. ଏବ୍ୟୁଜ୍(Abuse): ଯଦି ପାଟର୍ନର ଆପଣଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ଏବ୍ୟୁଜ୍ କରନ୍ତି ତେବେ ଏପରି ବ୍ୟବହାରକୁ ଅଣଦେଖା କରନ୍ତୁ ନାହିଁ । ଏଭଳି ପରିସ୍ଥିତିରେ ଚୁପ୍ ନ ରହି ବିରୋଧ କରନ୍ତୁ । ମନେରଖନ୍ତୁ, ଆପଣ ଚୁପ୍ ରହି ପାର୍ଟନରଙ୍କ ଏପରି ବ୍ୟବହାରକୁ ପ୍ରୋତ୍ସାହିତ କରିଥାନ୍ତି ।

୨. ଅସମ୍ମାନ: ସମସ୍ତଙ୍କ ସାମ୍ନାରେ ହେଉ କିମ୍ବା ଏକାନ୍ତରେ ପାର୍ଟନର ଆପଣଙ୍କୁ ଅସମ୍ମାନ କରିଲେ ସହ୍ୟ କରନ୍ତୁ ନାହିଁ । ଯେଉଁ ସମ୍ପର୍କରେ ସମ୍ମାନର ଅଭାବ ଦେଖାଦିଏ ତାହାର ଭବିଷ୍ୟତ ଅନ୍ଧାର ।

୩. ପ୍ରତାରଣା: ପାର୍ଟନର ସ୍ୱାମୀ ସ୍ତ୍ରୀ ହୁଅନ୍ତୁ କିମ୍ବା ପ୍ରେମୀ ଯୁଗଳ, ସମ୍ପର୍କରେ ପ୍ରତାରଣାର କୌଣସି ସ୍ଥାନ ନଥାଏ । ସମ୍ପର୍କରେ କଥା ଲୁଚାଇବା ଦ୍ୱାରା ଅବିଶ୍ୱାସ ଦେଖାଦେଇଥାଏ ଫଳରେ ସମ୍ପର୍କ ନଷ୍ଟ ହୋଇଥାଏ । ତେଣୁ ପାର୍ଟନର ଆପଣଙ୍କୁ କଥା ଲୁଚାଉଥିଲେ ଏହାର କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ପ୍ରତି ସେମାନଙ୍କ ବ୍ୟବହାରକୁ ଲକ୍ଷ୍ୟ କରନ୍ତୁ । ଏହାକୁ ଅଣଦେଖା କରନ୍ତୁ ନାହିଁ । ଭବିଷ୍ୟତରେ ଏହା ସମସ୍ୟା ସୃଷ୍ଟି କରିପାରେ ।

୪. ମେନିପ୍ୟୁଲେସନ: ପାର୍ଟନର ଆପଣଙ୍କ କୌଣସି ପ୍ରକାର ମେନିପ୍ୟୁଲେଟିଭ୍ କଥା ହେଉଥିଲେ ସତର୍କ ହୋଇଯାନ୍ତୁ । ସେମାନଙ୍କ ଏହି ଅଭ୍ୟାସକୁ ମଜାକ ଭାବି ଅଣଦେଖା କରନ୍ତୁ ନାହିଁ । ଏଭଳି ଲୋକ ମିଛକୁ ସତ ଓ ସତକୁ ମିଛ ପ୍ରମାଣିତ କରିବାରେ ଏକ୍ସପର୍ଟ ଥାନ୍ତି ।

୫. ଡୋମିନେଟିଂ: ଭଲପାଇବା ମାନେ ନୁହେଁ କି ପାର୍ଟନର ସବୁବେଳେ ଅପଣଙ୍କୁ ଡୋମିନେଟ୍ କରୁଥିବେ । ବେଳେ ବେଳେ ପାର୍ଟନରଙ୍କ ଏଭଳି ବ୍ୟବହାର ମନକୁ ଆଘାତ ଦେଇଥାଏ । ମନେରଖନ୍ତୁ, ସେମାନଙ୍କ ଏଭଳି ବ୍ୟବହାରକୁ ସହ୍ୟ କରି ଆପଣ ନିଜ ପାଇଁ ଗାତ ଖୋଳୁଛନ୍ତି ।

୬. ବଡି ଶେମିଂ: ଦୁନିଆରେ କେହି ବି ପରଫେକ୍ଟ ନଥାନ୍ତି । ପାର୍ଟନର ଆପଣଙ୍କୁ ଅନ୍ୟମାନଙ୍କ ସହ ତୁଳନା କରୁଥିଲେ କିମ୍ବା ଅନ୍ୟମାନଙ୍କ ସାମ୍ନାରେ ମଜାକ୍ ଉଡ଼ାଉଥିଲେ ଚୁପ୍ ରୁହନ୍ତୁ ନାହିଁ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ଯଦି ଆପଣ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଚାହୁଁଛନ୍ତି ତେବେ ପାର୍ଟନରଙ୍କ ସହ ଏ ବିଷୟରେ କଥାବାର୍ତ୍ତା ହୁଅନ୍ତୁ । ଆପଣ ଚାହିଁଲେ ରିଲେସନଶିପ୍ କାଉନସିଲରଙ୍କ ପରାମର୍ଶ ନେଇପାରିବେ । ଏତେ ସବୁ ପରେ ବି ପାର୍ଟନରଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ ନ କରିଲେ ସମ୍ପର୍କରୁ ଦୂରତା ବଜାୟ ରଖିବା ହିଁ ଏକ ମାତ୍ର ଉପାୟ ।

Get real time updates directly on you device, subscribe now.