fbpx

ଭାରତରେ ଲଞ୍ଚ ହେବ ସାଟେଲାଇଟ୍ ଇଣ୍ଟରନେଟ୍: ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ମିଳିଲା ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ କ୍ଷେତ୍ରରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିପାରିଥିବା ରିଲିଏନ୍ସ ଜିଓ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଦେଶରେ ସାଟେଲାଇଟ୍ ଇଣ୍ଟରନେଟ ଲଞ୍ଚ କରିବା ନେଇ ଜିଓ ପ୍ଲାଟଫର୍ମକୁ ମଞ୍ଜୁରୀ ମିଳିଛି । ଲକ୍ସେମବର୍ଗର ଏସଇଏସ ସହ ପାର୍ଟନରଶିପ କରି ଜିଓ ପ୍ଲାଟଫର୍ମ ଭାରତୀୟ ସ୍ପେସ ରେଗୁଲେଟର ଠାରୁ ସବୁଜ ସଙ୍କେତ ପାଇଛି । ହାଇ ସ୍ପିଡ୍ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ସାଟେଲାଇଟ୍ ଅପରେଟ୍ କରିବା ପାଇଁ ଜିଓକୁ ଏହି ଅନୁମତି ମିଳିଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି ।

ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ନେଇ ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ଅନୁମତି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଓ ଏବେ ଯୋଗାଯୋଗ କ୍ଷେତ୍ରରେ ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଯୋଗିତା କରିବ । ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ ସେବା ବିତରଣ କରିବା ନେଇ ଅର୍ବିଟ କନେକ୍ଟ ଇଣ୍ଡିଆ ନାମକ ଏକ ଭେଞ୍ଚରକୁ ୩ଟି ମଞ୍ଜୁରୀ ମିଳିଥିବା ଜଣେ ସରକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର (ଇନ-ସ୍ପେସ) ଦ୍ୱାରା ଏହି କ୍ଲିୟରାନ୍ସ ଏପ୍ରିଲ ଓ ଜୁନରେ ମିଳିଥିବା ବେଳେ ଭାରତ ଉପରେ ଉପଗ୍ରହକୁ ସ୍ଥାପିତ କରିବା ପାଇଁ ଅର୍ବିଟ କନେକ୍ଟକୁ ଅନୁମତି ମିଳିଛି । ତେବେ ଏହି ସେବା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ ବିଭାଗର ଅନୁମୋଦନ ନେବା ଆବଶ୍ୟକ । ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ମଧ୍ୟ ଏଥିପାଇଁ ଅନୁମତି ଲୋଡ଼ିଥିବାରୁ ସାଟେଲାଇଟ ଯୋଗାଯୋଗ ସେବା କ୍ଷେତ୍ରରେ ଜିଓଙ୍କୁ ଏହି ଅନୁମତି ଦିଆଯିବା ନିଶ୍ଚିତ ଭାବେ ଏକ ବଡ଼ ପଦକ୍ଷେପ ଅଟେ । ସାଟେଲାଇଟ୍ ଇଣ୍ଟରନେଟ ମାଧ୍ୟମରେ ଗ୍ରାମାଞ୍ଚଳକୁ ସଂଯୋଗ କରିବା ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆମାଜନର କୁଇପର ଇନିସିଏଟିଭ୍ ୧୦ ବିଲିୟନ ଡଲାର ନିବେଶ ପାଇଁ ପ୍ଲାନ କରିଥିବା ବେଳେ ଷ୍ଟାରଲିଙ୍କ ନିକଟରେ ଶ୍ରୀଲଙ୍କାରେ ସେବା ଆରମ୍ଭ କରିବା ନେଇ ପ୍ରାଥମିକ ଅନୁମୋଦନ ପାଇ ସାରିଛି ।

Get real time updates directly on you device, subscribe now.