ଭୁବନେଶ୍ବର: ଆଜି ସିଲଭର ସିଟି କଟକ ବାସିନ୍ଦା କିଛି ମାତ୍ରାରେ ଖରାରୁ ଆଶ୍ବସ୍ତି ପାଇଛନ୍ତି । କଟକରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି ।
କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି ।
ନାଦିଲା ବର୍ଷା- ସକାଳେ ଖରା ହେଉଥିବା ବେଳେ ହଠାତ୍ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ଏହାପରେ ପବନ, ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା । ବେଶ୍ କିଛି ସମୟ ଧରି ବର୍ଷା ହୋଇଛି ।
ଭୁବନେଶ୍ବର ଆକାଶରେ ମେଘ- ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ବର୍ଷା ହୋଇନାହିଁ । ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ରହିଛି ।
କହିରଖୁଛୁ କି, ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଦକ୍ଷିଣପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଗାମୀ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ନେଇ ସତର୍କ କରାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । 40ରୁ 50 କିଲୋମିଟରେ ବେଗରେ ପବନ ବୋହିବା ସହିତ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି ।