ଇମ୍ରାନଙ୍କୁ ଆଶ୍ୱସ୍ତି, ଖାରଜ ହେଲା ଅବିଶ୍ୱାସ ପ୍ରସ୍ତାବ: ନାସନାଲ ଆସେମ୍ବଲି ଭଙ୍ଗ ପରେ ୩ ମାସ ମଧ୍ୟରେ ହେବ ପୁନଃ ନିର୍ବାଚନ
ପାକିସ୍ତାନରେ ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଆଗତ କରିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି । ଉପବାଚସ୍ପତି କାରସିମ ଖାନ ସୁରୀ ସମ୍ବିଧାନର ଅନୁଚ୍ଛେଦ ୫ ଅନୁଯାୟୀ ବିନା ମତଦାନରେ ଅବିଶ୍ୱାସ ପ୍ରସ୍ତାବ ଖାରଜ କରିଛନ୍ତି । ସେ ଇମରାନ ଖାନ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏବଂ ଏହାକୁ ଅସମ୍ବିଧାନିକ ଦର୍ଶାଇଛନ୍ତି । ଏହା ସହ ସଂସଦକୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ।
ଏହା ସହ ଇମ୍ରାନଙ୍କ ନାସନାଲ ଆସେମ୍ବଲି ଭଙ୍ଗ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଅରିଫ ଅଲବୀ । ଏବେ ଆନ୍ତା ୯୦ ଦିନ ମଧ୍ୟରେ ଦେଶରେ ପୁଣି ଥରେ ନିର୍ବାଚନ ହେବ ।
ସେପଟେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଖାରଜ ହେବା ପରେ ସୁପ୍ରିମକୋର୍ଟ ଯିବେ ବିରୋଧୀ । ଅବିଶ୍ୱାସ ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଘୋଷଣା କରିଛନ୍ତି ବିରୋଧୀ । ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ କହିଛନ୍ତି ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ୍ ନହେବା ସମ୍ବିଧାନର ଉଲ୍ଲଘଂନ । ବିରୋଧୀ ମେଣ୍ଟର ସଦସ୍ୟ ଆସେମ୍ବଲି ଭିତରେ ହିଁ ରହିବେ ବୋଲି କହିଛନ୍ତି ବିଲାୱଲ ।