ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ସ୍ଥିର ରହିବ ବୋଲି ନେଇ ପୂର୍ବରୁ ଆଶା କରାଯାଉଥିଲା । ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି । ରେପୋ ରେଟ୍ ୪% ଏବଂ ରିଭର୍ସ ରେପୋ ରେଟ୍ ୩.୩୫% ରଖାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି, ଯାହାକି ପୂର୍ବରୁ ୧୦.୫ ପ୍ରତିଶତ ରହିବ ବୋଲି କୁହାଯାଉଥିଲା । ସେହିପରି ଏମଏସଏଫ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଗତ ଏପ୍ରିଲ ୨୧ରେ ଅନୁଷ୍ଠିତ ବୈଠକରେ ମଧ୍ୟ ଆରବିଆଇର ପ୍ୟାନେଲ ଏହି ହାରକୁ ଅପରିବର୍ତ୍ତିତ ରଖିଥିଲା ।
ଶକ୍ତିକାନ୍ତ କହିଛନ୍ତି ଯେ, ଆସନ୍ତା ୧୭ ତାରିଖରେ ଆରବିଆଇ ୪୦ ହଜାର କୋଟି ସରକାରୀ ସିକ୍ୟୁରିଟି କ୍ରୟ କରିବ । ଏହାଛଡ଼ା ୧୫ ହଜାର କୋଟି ଟଙ୍କା ବ୍ୟାଙ୍କକୁ ପ୍ରଦାନ କରାଯିବ । ଏହି ଅର୍ଥ ବ୍ୟାଙ୍କମାନେ ହୋଟେଲ, ରେଷ୍ଟୁରାଣ୍ଟ, ଟୁର ଅପରେଟର, ବସ ଅପରେଟରଙ୍କୁ ଲୋନ ପ୍ରଦାନ କରିବେ । କରୋନାରେ ବର୍ବାଦ ହୋଇଥିବା ଟୁରିଜିମ୍ ଓ ହସ୍ପିଟାଲିଟି କ୍ଷେତ୍ରକୁ ସରକାର କୌଣସି ଘୋଷଣା କରିନଥିବା ବେଳେ ଆରବିଆଇ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ବର୍ତ୍ତମାନ ବିଶ୍ୱରେ ଚାହିଦା ବୃଦ୍ଧି ପାଉଥିବାରୁ ଆରବିଆଇର ଘୋଷଣା ଦେଶର ରପ୍ତାନୀ କ୍ଷେତ୍ରକୁ ମଜବୁତ କରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।