fbpx

RBIର ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ, ହୋମ ଲୋନ ଓ ଅଟୋ ଲୋନର EMI ବଢ଼ିବ ନାହିଁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରା ନୀତି ସମିତି (ଏମପିସି) ବୈଠକରେ ଫଳାଫଳ ଘୋଷଣା କରିଛି । ଗତ ୮ ତାରିଖରୁ ୬ ଜଣ ସଦସ୍ୟଙ୍କୁ ନେଇ ବସିଥିବା ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରହିଛି । ଅର୍ଥାତ ରେପୋ ରେଟ ୬.୫ ପ୍ରତିଶତ ରହିବ । ଏହାଫଳରେ ହୋମ ଲୋନ ଓ ଅଟୋ ଲୋନ ନେଇଥିବା ଲୋକଙ୍କ ଉପରେ ଇଏମଆଇର ବୋଝ ବଢ଼ିବ ନାହିଁ ।

ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନଥିବା ଘୋଷଣା କରିବା ଅବସରରେ ଶ୍ରୀ ଦାସ କହିଛନ୍ତି, ଭାରତ ସଠିକ ଟ୍ରାକରେ ଆଗକୁ ବଢ଼ୁଛି ଓ ଆଗାମୀ ଦିନରେ ଦୁନିଆର ଗ୍ରୋଥ ଇଞ୍ଜିନ ହେବ । ଭାରତର ଏବେ ବିଶ୍ୱର ୫ମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହୋଇଥିବା ବେଳେ ଆମର ଅର୍ଥନୀତିର ଅଭିବୃଦ୍ଧି କ୍ରମାଗତ ଭାବେ ଜାରି ରହିଛି । ବର୍ତ୍ତମାନ ସମୟରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ପରିବର୍ତ୍ତନର ଫାଇଦା ଉଠାଇବା ପାଇଁ ଭାରତ ପାଇଁ ଏକ ବଢ଼ିଆ ସୁଯୋଗ ରହିଛି । ବୈଶ୍ୱିକ ବିକାଶରେ ଭାରତୀୟ ଅର୍ଥବ୍ୟବସ୍ଥା ପାଖାପାଖି ୧୫ ପ୍ରତିଶତ ଯୋଗଦାନ ଦେଉଛି ।

ଦେଶରେ ମହଙ୍ଗା ମାଡ଼ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ଧାର୍ଯ୍ୟ ଲକ୍ଷ୍ୟକୁ ଫେରାଇ ଆଣିବା ଲକ୍ଷ୍ୟରେ ଆରବିଆଇ ୨୦୨୨ ମସିହା ମେ ମାସ ପରଠାରୁ କ୍ରମାଗତ ଭାବେ ରେପୋ ରେଟ ବୃଦ୍ଧି କରି ଆସୁଥିଲା । ଚଳିତ ଅବଧିରେ ୨୫୦ ବେସିସ ପଏଣ୍ଟ ବୃଦ୍ଧି ହୋଇଥିଲା । ତେବେ ଗତ ଫେବୃଆରୀ ମାସ ପରଠାରୁ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ଫଳରେ ମହଙ୍ଗା ଉପରେ ନିୟନ୍ତ୍ରଣ କରାଯାଇଥିଲା । ଆରବିଆଇ ରେପୋ ରେଟ ଦର ସ୍ଥିର ରଖିବ ବୋଲି ପୂର୍ବରୁ ଏକ୍ସପର୍ଟମାନେ ଅନୁମାନ କରୁଥିଲେ । ଏହା ପୂର୍ବରୁ ଗତ ଏପ୍ରିଲ ଓ ଜୁନ ମାସର ବୈଠକରେ ଏହି ଦରରେ ଅପରିବର୍ତ୍ତିତ ରଖାଯାଇଥିଲା । ଆରବିଆଇ ରେପୋ ରେଟ ସ୍ଥିର ରଖିବା ସହିତ, ଏମଏସଏଫ, ବ୍ୟାଙ୍କ ରେଟ ୬.୭୫ ପ୍ରତିଶତ, ଏସଡିଏଫ ରେଟକୁ ୬.୨୫ ପ୍ରତିଶତରେ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.