fbpx
BSKY SKY
BSKY SKY

ବିପଦରେ ‘ବ୍ରହ୍ମୋସ’ର ରିପୋର୍ଟ! ହନିଟ୍ରାପ ଜାଲରେ ଫସି DRDO ବୈଜ୍ଞାନିକ ନେଇଥିଲେ ଭୁଲ ନିଷ୍ପତ୍ତି, ATSର ଖୁଲାସା

BSKY

ନୂଆଦିଲ୍ଲୀ: ଭାରତର ଶକ୍ତିଶାଳୀ ‘ବ୍ରହ୍ମୋସ ମିସାଇଲ’ର ରିପୋର୍ଟକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ବ୍ରହ୍ମୋସ ମିସାଇଲ ପ୍ରୋଜେକ୍ଟର ଏକ ସିକ୍ରେଟ ରିପୋର୍ଟ ସେୟାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଡିଆରଡିଓର ଜଣେ ବୈଜ୍ଞାନିକ । ପାକିସ୍ତାନ ମହିଳାଙ୍କ ଜାଲରେ ଫସି ଏଭଳି ଏକ ଭୟାନକ ନିଷ୍ପତ୍ତି ନେଇଥିବା ଖୁଲାସା କରିଛି ଏଟିଏସ । ପାକ୍ ଗୁପ୍ତଚର ନିଜକୁ ଜାରା ଦାସଗୁପ୍ତା ନାମରେ ସାଇଣ୍ଟିଷ୍ଟ ପ୍ରଦୀପ କୁରୁଲକରଙ୍କୁ ଭେଟ କରିଥିଲେ । ଏହାପରେ ଧିରେ ଧିରେ ପ୍ରଦୀପଙ୍କୁ ନିଜ ଜାଲରେ ଫସାଇବାରେ ସଫଳ ହୋଇଥିଲେ ଜାରା । ମହିଳାଙ୍କ ଜାଲରେ ଫସିଯାଇ ‘ବ୍ରହ୍ମୋସ’ ମିସାଇଲର ଗୋପନୀୟ ତଥ୍ୟ ସେୟାର କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ପ୍ରଦୀପ ।

ସୂଚନା ଅନୁସାରେ, ହନିଟ୍ରାପ ସହିତ ପାକ୍ ମହିଳା ଗୁପ୍ତଚରଙ୍କ ସହ ସମ୍ପର୍କ ରଖିବା ଏବଂ ଅଫିସିଆଲ ଗୋପନୀୟତା ଅଧିନିୟମ ଅଭିଯୋଗରେ ମେ’ ୩ ତାରିଖରେ ଡିଆରଡିଓର ବୈଜ୍ଞାନିକ ପ୍ରଦୀପଙ୍କୁ ଗିରଫ କରିଛି ଏଟିଏସ । ରିପୋର୍ଟ ଅନୁସାରେ, ବ୍ରିଟେନର ଜଣେ ସଫ୍ଟଓୟାର ଇଞ୍ଜିନିୟର ପରିଚୟରେ ଜାରା ହ୍ୱାଟ୍ସଆପ୍ ଜରିଆରେ ପ୍ରଦୀପଙ୍କ ସହ ସମ୍ପର୍କ କରିଥିଲେ । ଏହାପରେ ଅନେକ ଅଶ୍ଳୀଳ ମେସେଜ ପଠାଇବା ସହ ଭଏସ ଏବଂ ଭିଡିଓ କଲରେ ତାଙ୍କୁ ପ୍ରଲୋଭନ ଦେଖାଇଥିଲା । ଏହି ଜାଲରେ ପ୍ରଦୀପ ଫସିଯିବା ସହ ୨୦୨୨ ଜୁନ୍ ୧୦ ତାରିଖରୁ ଗତ ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ ଅନେକ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । ତେବେ ଜାରା ଡିଆରଡିଓ ସମେତ ଅନ୍ୟାନ୍ୟ ସଂସ୍ଥା ଉପରେ ମଧ୍ୟ ଗୋପନୀୟ ତଥ୍ୟ ପ୍ରଦୀପଙ୍କୁ ପାଖରୁ ହାସଲ କରିବାକୁ ଚାହୁଥିବା ଏଟିଏସ ଅଭିଯୋଗ କରିଛି । ତେବେ ପ୍ରଦୀପ ମଧ୍ୟ ଜାରା ପ୍ରତି ଆକର୍ଷିତ ହେବା ସହିତ ରିପୋର୍ଟ ଦେଖାଇବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।

ତଦନ୍ତ ସମୟରେ ଏଟିଏସ ଉଭୟଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଆପ ଚାଟ୍ ହାସଲ କରିବା ପରେ ଏକ ଅଭିଯୋଗ ପତ୍ରରେ ଯୋଡ଼ି ଏହାକୁ ପୁଣେର ବିଶେଷ ଅଦାଲତରେ ଦାଖଲ କରାଯାଇଛି । ଅଭିଯୋଗ ଅନୁସାରେ, ପ୍ରଦୀପ ଏବଂ ଜାରାଙ୍କ ମଧ୍ୟରେ ଅକ୍ଟୋବର ୧୯ ଏବଂ ଅକ୍ଟୋବର ୨୮ ତାରିଖ ମଧ୍ୟରେ ବ୍ରହ୍ମୋସକୁ ନେଇ ଆଲୋଚନା ହୋଇଥିଲା । ତେବେ ପରେ ପ୍ରଦୀପ ବ୍ରହ୍ମୋସର ରିପୋର୍ଟ ହ୍ୱାଟ୍ସଆପ କିମ୍ବା ଇ-ମେଲ ମାଧ୍ୟମରେ ସେୟାର କରିବାକୁ ମନା କରି ଦେଇଥିଲେ । କିନ୍ତୁ ଏକାକୀ ଭେଟ ହେଲେ ଏସବୁ ରିପୋର୍ଟ ଜାରାକୁ ଦେଖାଇବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଦୀପ । ଯାହାକୁ ନେଇ ବର୍ତ୍ତମାନ ଏଟିଏସ ଏକ ବଡ଼ ଖୁଲାସା କରିଛି ।

Get real time updates directly on you device, subscribe now.