OAS ଅଧିକାରୀ ସ୍ତରରେ ଅଦଳବଦଳ: ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ବରିଷ୍ଠ ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଏ ବାବଦରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଏଥିସହିତ ତାଙ୍କୁ ଟିଚର୍ସ ଟ୍ରେନିଂ ଓ ଏସସିଇଆରଟିର ଡାଇରେକ୍ଟର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ଶକ୍ତି ବିଭାଗର ସ୍ପେଶାଲ ସେକ୍ରେଟାରୀ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଜେଲ ଆଇଜି ଭାବେ ଟ୍ରାନ୍ସଫର କରାଯାଇଛି । ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ସମ୍ବଲପୁର ସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି । ବରିଷ୍ଠ ଓଏଏସ୍ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

ଓଏଏସ ଅଧିକାରୀ ଅଶୋକ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି କମିସନର ଭାବେ ବଦଳି କରାଯାଇଛି । ଓଏଏସ ଟୁନା ମେହେରଙ୍କୁ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଓଏଏସ ସୁରେନ୍ଦ୍ର ମେହେରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଓଏଏସ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।