fbpx

ରନ୍ଧା ତେଲକୁ ପୁଣି ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାଏ, ଚେତାବନୀ ଦେଲା FSSAI

ଅଧିକାଂଶ ଲୋକ ଘରମାନଙ୍କରେ ରନ୍ଧା ତେଲକୁ ବାରମ୍ବାର ବ୍ୟବହାର କରିଥାନ୍ତି । କିଛି ସ୍ତ୍ରୀଲୋକ ପକୁଡ଼ି, ପୁରୀ ଆଦି ଛାଣିବା ପରେ ବଳକା ଛଣାତେଲକୁ ସାଇତି ରଖିଥାନ୍ତି । ପରେ ଉକ୍ତ ରନ୍ଧାତେଲକୁ ଭଲ ତେଲ ସହ ମିଶାଇ ପୁଣି ବ୍ୟବହାର କରିଥାନ୍ତି । ରନ୍ଧାତେଲକୁ ଏପରି ଭାବେ ବାରମ୍ବାର ବ୍ୟବହାର କରିବା ଦ୍ୱାରା ତାହା ଆମର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଏହା ବିଭିନ୍ନ ପ୍ରକାର ରୋଗର କାରଣ ସାଜିଥାଏ ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ରନ୍ଧାତେଲକୁ ପୁଣି ବ୍ୟବହାର କରିବା ଦ୍ୱାରା ସେଥିରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ । ଫଳରେ ତାହା ଶରୀରରେ ରେଡିକଲ୍ସ ବୃଦ୍ଧି କରିବା ସହ ବିଭିନ୍ନ ରୋଗକୁ ଆମନ୍ତ୍ରିତ କରିଥାଏ । ଏନେଇ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ପକ୍ଷରୁ ଚେତାବନୀ ଦିଆଯାଇଛି । ଏଫଏସଏସଏଆଇ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ, ରନ୍ଧା ତେଲକୁ ଦ୍ୱିତୀୟ ଥର ବ୍ୟବହାର କରିବା ଅନୁଚିତ୍ । ତେଲକୁ ଦ୍ୱିତୀୟ ଥର ପାଇଁ ଉତ୍ତପ୍ତ କରିବା ଓ ବ୍ୟବହାରରୁ ଦୂରେଇ ରହିବା ଭଲ ।
ଏନେଇ ବିଶେଷଜ୍ଞମାନେ କୁହନ୍ତି ଯେ, ଉଚ୍ଚ ତାପମାତ୍ରାରେ ଗରମ କରାଯାଉଥିବା ତେଲରୁ ବିଷାକ୍ତ ଧୂଆ ଉତ୍ପନ୍ନ ହୋଇଥାଏ । ତେଣୁ ଧୂଆଁ ବିନ୍ଦୁ ସୃଷ୍ଟି ହେବା ପର୍ଯ୍ୟନ୍ତ ତେଲକୁ ଗରମ କରିବା ଦରକାର । ପ୍ରତ୍ୟେକ ଥର ତେଲ ଗରମ କରିବା ସମୟରେ ଏହାର ଚର୍ବି କଣିକା ଭାଙ୍ଗି ଯାଇଥାଏ । ଫଳରେ ଏହା ଧୂଆଁ ବିନ୍ଦୁରେ ପହଞ୍ଚିବା ସହ ବାରମ୍ବାର ବ୍ୟବହାର ପରେ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ । ପରିଣାମ ସ୍ୱରୂପ ରୋଗ ସୃଷ୍ଟିକାରୀ ପଦାର୍ଥ ବାୟୁ ଓ ରନ୍ଧା ଖାଦ୍ୟରେ ମିଶିଯାଇଥାଏ । ଉଚ୍ଚ ତାପମାତ୍ରାରେ ତେଲରେ ଥିବା କିଛି ଚର୍ବି ଟ୍ରାନ୍ସ ଫ୍ୟାଟରେ ପରିଣତ ହେବା ଫଳରେ ତାହା ହୃଦରୋଗର ଆଶଙ୍କା ସୃଷ୍ଟି କରିଥାଏ । ତେଲକୁ ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଟ୍ରାନ୍ସ ଫ୍ୟାଟର ମାତ୍ରା ବଢ଼ିଯାଇଥାଏ ଓ ଏହା ଶରୀରର କୋଲେଷ୍ଟରଲ ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ସୁସ୍ଥ ଓ ରୋଗମୁକ୍ତ ରହିବାକୁ ହେଲେ ଆମକୁ ସଠିକ୍ ମାତ୍ରାର ତେଲ ଉପଯୁକ୍ତ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ।

Get real time updates directly on you device, subscribe now.