ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ମାଙ୍କଡମାନଙ୍କ ପ୍ରତିଶୋଧର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଘଟଣା କ୍ରମେ ଗତ ମାସରେ ଏଠାରେ କୁକୁରମାନେ ଏକ ମାଙ୍କଡ଼ ଛୁଆକୁ ଝୁଣି ଝୁଣି ମାରିଦେଇଥିଲେ । ଆଉ ମାଙ୍କଡମାନେ ପ୍ରତିଶୋଧ ପରାୟଣ ହୋଇ ଗତ ୧ ମାସ ମଧ୍ୟରେ ୨୫୦ଟି କୁକୁର ଛୁଆକୁ ମାରିସାରିଲେଣି । ତେବେ କେବଳ ଏତିକି ନୁହେଁ ଏବେ ମାଙ୍କଡ ପଲ ମଣିଷ ଛୁଆଙ୍କୁ ଆକ୍ରମଣ କରୁଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ କୌଣସି ବି କୁକୁର ଛୁଆ ଦେଖିବାକୁ ମିଳୁନାହାନ୍ତି । ଗ୍ରାମବାସୀମାନେ ମଧ୍ୟ ମାଙ୍କଡମାନଙ୍କୁ ଧରିବା ପାଇଁ ବନ ବିଭାଗ ନିକଟକୁ ଯାଇଥିଲେ। ବନ ବିଭାଗର କର୍ମଚାରୀମାନେ ଆସିଥିଲେ ବି ମାଙ୍କଡ଼ଙ୍କୁ ଧରିବାରେ ବିଫଳ ହୋଇଥିଲେ । ଗ୍ରାମବାସୀମାନେ କହିଛନ୍ତି ଯେ ପ୍ରତିଶୋଧ ନେବା ପାଇଁ ମାଙ୍କଡମାନେ ଏହା କରୁଛନ୍ତି।
ଗାଁ ଲୋକଙ୍କ କହିବାନୁସାରେ, କୁକୁରମାନେ ଏକ ମାଙ୍କଡ ଛୁଆକୁ ମାରିଦେଇଥିଲେ । ଏହା ପରେ ମାଙ୍କଡମାନେ କୁକୁରମାନଙ୍କର ଛୁଆମାନଙ୍କୁ ଖୋଜି ଖୋଜି ମାରିବା ଆରମ୍ଭ କରିଥିଲେ । ମାଙ୍କଡମାନେ କୁକୁର ଛୁଆମାନଙ୍କୁ ଉଚ୍ଚ କୋଠା କିମ୍ବା ଗଛକୁ ନେଇ ସେଠାରୁ ଫୋପାଡି ଦେଉଥିବାର ଗ୍ରାମବାସୀ କହିଛନ୍ତି । ଏବେ ମାଙ୍କଡମାନଙ୍କୁ ଧରିବା ପାଇଁ ବନ ବିଭାଗ ଛାନଭିନ ଚଳାଇଛି ।