ଶସ୍ତା ହୋଇଗଲା ଚାଉଳ ଓ ଅଟା ଦାମ୍: ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଆପଣମାନେ ଯଦି ମହଙ୍ଗା ଦରରେ ରାସନ କିଣି ଘୋର ଅସୁବିଧାର ସାମ୍ନା କରୁଛନ୍ତି, ତେବେ ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ପୁଣି ଥରେ କେନ୍ଦ୍ର ସରକାର ଶସ୍ତାରେ ଚାଉଳ ଓ ଗହମ ବିକ୍ରି କରିବେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୁଣି ଥରେ ଲଞ୍ଚ ହୋଇଛି ‘ଭାରତ ବ୍ରାଣ୍ଡ’ ସାମଗ୍ରୀ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏବେ ବଜାରରୁ ପୁଣି ଥରେ ଶସ୍ତାରେ ଚାଉଳ ଓ ଗହମ କିଣିପାରିବେ ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ପୁଣି ଥରେ ମାର୍କେଟକୁ ଶସ୍ତା ଯୁଗ ଫେରିଆସିଛି । ସାଧାରଣ ଲୋକଙ୍କୁ ଶସ୍ତାରେ ଓ କମ୍ ଦାମରେ ଜରୁରୀ ରାସନ ସାମଗ୍ରୀ ପ୍ରଦାନ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ‘ଭାରତ ବ୍ରାଣ୍ଡ’ ଅଧିନରେ ସାମଗ୍ରୀ ବିକ୍ରି ଆରମ୍ଭ କରିଥିଲେ । ଏହା ମଧ୍ୟରେ କେନ୍ଦ୍ର ସରକାର ଆଜି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଲଞ୍ଚ କରିଛନ୍ତି । ଏହି ଯୋଜନାରେ କେନ୍ଦ୍ର ସରକାର ଶସ୍ତାରେ ‘ଭାରତ ବ୍ରାଣ୍ଡ’ର ଅଟା ଓ ଚାଉଳ ବିକ୍ରି କରିଥାନ୍ତି । କୋ-ଅପରେଟିଭ୍ ସୋସାଇଟି ସହାୟତାରେ ଗ୍ରାହକଙ୍କ ନିକଟରେ ସାମଗ୍ରୀ ପହଞ୍ଚା ଯାଇଥାଏ । ଏଥିରେ ଭାରତୀୟ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ), ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ (ନାଫେଡ) ଓ କେନ୍ଦ୍ରୀୟ ଭଣ୍ଡାର ସାମିଲ ରହିଛନ୍ତି । ଏଥିସହିତ ସରକାର ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ କିଛି ସେଲ କରିଥାନ୍ତି । ଦ୍ୱିତୀୟ ଫେଜରେ ସରକାର ‘ଭାରତ ବ୍ରାଣ୍ଡ’ର ଗହମର ଅଟା କେଜି ୩୦ ଟଙ୍କାରେ ଓ ଚାଉଳ କେଜି ୩୪ ଟଙ୍କାରେ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇ ସାମଗ୍ରୀ ୫ କେଜି ଓ ୧୦ କେଜି ପ୍ୟାକେଟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଅଟା ଦର ୨୭.୫ ଟଙ୍କା ଓ ଚାଉଳ ଦାମ୍ ୨୯ ଟଙ୍କା ରହିଥିଲା ।