ଓଡ଼ିଶା ବିପକ୍ଷରେ ଡେବ୍ୟୁ କରିଥିଲେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର: ମୋଟ ସମ୍ପତ୍ତି ୭୦ ହଜାର କୋଟି, ମାତ୍ର ୨୨ ବର୍ଷ ବୟସରେ ନେଇଥିଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ସାରା ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ନାଁ କହିଲେ ପ୍ରଥମେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସାମ୍ନାକୁ ଆସିଥାଏ । ତେବେ ସଚିନ, ବିରାଟ ଓ ଧୋନୀଙ୍କ ଠାରୁ ମଧ୍ୟ ଭାରତରେ ମଧ୍ୟ ଜଣେ ଧନୀ କ୍ରିକେଟର ଥିଲେ, ଯେ କି ମାତ୍ର ୨୨ ବର୍ଷ ବୟସରେ ସନ୍ନ୍ୟାସ ନେଇଥିଲେ । ଦୁନିଆର ସେହି ଧନୀ କ୍ରିକେଟରଙ୍କ ମୋଟ ସମ୍ପତ୍ତିର ପରିମାଣ ପାଖାପାଖି ୭୦ ହଜାର କୋଟି ହେବ ବୋଲି ରିପୋର୍ଟରେ କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଦୁନିଆର ଏହି ଧନୀ କ୍ରିକେଟର ଓଡ଼ିଶା ବିପକ୍ଷରେ ମଧ୍ୟ କ୍ରିକେଟ ଖେଳିଥିଲେ ।

ରିପୋର୍ଟ ମୁତାବକ, ଦୁନିଆର ସେହି ଧନୀ କ୍ରିକେଟର ଜଣଙ୍କ ହେଉଛନ୍ତି ଅରବପତି କୁମାର ମଙ୍ଗଳମ ବିର୍ଲାଙ୍କ ପୁଅ ଆର୍ଯମନ ମଙ୍ଗଳମ୍ । ଆର୍ଯମନ କେବଳ ଘରୋଇ କ୍ରିକେଟ ଖେଳିଥିବା ବେଳେ ସେ ଭାରତ ପକ୍ଷରୁ କେବେ ବି ପ୍ରତିନିଧିତ୍ୱ କରିନଥିଲେ କି ଆଇପିଏଲରେ ମଧ୍ୟ ଅଂଶଗ୍ରହଣ କରିନଥିଲେ । ଏହା ପରେ ବି ସଚିନ, ବିରାଟ ଓ ଧୋନୀଙ୍କ ସମ୍ପତ୍ତିକୁ ମିଶାଇଲେ ଯେତିକି ହେବ ଆର୍ଯମନଙ୍କ ମୋଟ ସମ୍ପତ୍ତି ତା’ଠାରୁ କାହିଁ କେତେ ଗୁଣରେ ଅଧିକ ହେବ । ଏକଥା ଅନେକ କ୍ରୀଡ଼ାପ୍ରେମୀଙ୍କୁ ନିଶ୍ଚିତ ଭାବେ ଅଜଣା ଥିବ ।

ଦୁନିଆର ଏହି ଅମୀର କ୍ରିକେଟର ଆର୍ଯମନ ମାତ୍ର ୨୨ ବର୍ଷ ବୟସରେ କ୍ରିକେଟର ଅବସର ଗ୍ରହଣ କରିଥିଲେ । ମାତ୍ର ସମ୍ପତ୍ତି କ୍ଷେତ୍ରରେ ସେ ସବୁ କ୍ରିକେଟରଙ୍କ ଠାରୁ ବହୁତ ଆଗରେ ବୋଲି କୁହାଯାଉଛି । ଆର୍ଯମନ ମଧ୍ୟପ୍ରଦେଶ ତରଫରୁ ରଣଜୀ ଟ୍ରଫି ଓ ଅନ୍ୟ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ୨୦୨୩ରେ ତାଙ୍କୁ ଆଦିତ୍ୟ ବିର୍ଲା ଫେଶନ ଆଣ୍ଡ ରିଟେଲ ଲିମିଟେଡର ନିର୍ଦ୍ଦେଶକ ଭାବେ ସାମିଲ କରାଯାଇଥିଲା । ମାତ୍ର ଏହି ପଦ ସମ୍ଭାଳିବା ପୂର୍ବରୁ ସେ ଜଣେ କ୍ରିକେଟର ଭାବେ ପରିଚିତ ହୋଇଥିଲେ । ୨୦୧୭ରେ ମଧ୍ୟପ୍ରଦେଶ ତରଫରୁ ସେ ଓଡ଼ିଶା ବିପକ୍ଷରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ୭୨ ରନର ପାର୍ଟନରଶିପ କରିଥିଲେ । ତା’ର ଏକବର୍ଷ ପରେ ସେ ପଶ୍ଚିମବଙ୍ଗ ବିରୋଧରେ ଶାନଦାର ପ୍ରଦର୍ଶନ କରିଥିଲେ । ମନୋଜ ତିୱାରୀଙ୍କ ଦ୍ୱିଶତକ ବଳରେ ବେଙ୍ଗଲ ୫୧୦/୯ ରନରେ ପାଳି ଘୋଷିତ କରିଥିଲା । ତା’ର ଜବାବରେ ଆର୍ଯମନ ୧୮୯ଟି ବଳ ଖେଳି ୧୦୩ ରନର ଶତକୀୟ ଇନିଂସ ଖେଳିଥିଲେ ଓ ମ୍ୟାଚକୁ ଡ୍ର କରାଇଥିଲେ । ୨୦୧୮ରେ ଆର୍ଯମନ ରାଜସ୍ଥାନ ରୟାଲ୍ସର ଅଂଶ ହୋଇଥିଲେ ମାତ୍ର ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା । ୨୦୧୯ରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇ ବିଜିନେସରେ ପାଦ ଥାପିଥିଲେ ।