ଋଷଭ ନା ରାହୁଲ… ତୃତୀୟ ଦିନିକିଆରେ କାହାକୁ ମିଳିବ ସୁଯୋଗ? ବଦଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିରେ ରହିଛି । ଏହି ମ୍ୟାଚ ବିଜୟୀ ହୋଇ ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ । ତେଣୁ ସିରିଜର ପ୍ରଥମ ୨ଟି ମ୍ୟାଚରେ ଥିବା ଦୁର୍ବଳତାକୁ ହଟାଇବା ଅଧିନାୟକ ରୋହିତଙ୍କ ପ୍ରଥମ ଲକ୍ଷ୍ୟ ରହିବ । ତୃତୀୟ ତଥା ଶେଷ ମ୍ୟାଚରେ ଦଳର ବ୍ୟାଟିଂ ବିଭାଗକୂ ଆହୁରି ମଜବୁତ କରିବା ପାଇଁ ପ୍ଲେଇଙ୍ଗ-୧୧ରେ କିଛିଟା ପରିବର୍ତ୍ତନ ଆଣିପାରନ୍ତି ରୋହିତ । ତେବେ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଦଳରେ କମବ୍ୟାକ କରିବା ପାଇଁ ସୁଯୋଗ ମିଳିପାରେ ।

ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରୁଥିବା ଷ୍ଟାର ବ୍ୟାଟର କେ.ଏଲ ରାହୁଲ ଦିନିକିଆ ସିରିଜରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି । ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇଥିଲା, କିନ୍ତୁ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି ରାହୁଲ । ସିରିଜର ଉଭୟ ମ୍ୟାଚରେ ସେ ବିଶେଷ ପ୍ରଦର୍ଶନ କରି ପାରିନାହାନ୍ତି । ତେଣୁ ତାଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ନେଇପାରେ ଟିମ ଇଣ୍ଡିଆ । ଉଭୟ ମ୍ୟାଚରେ ରାହୁଲଙ୍କୁ ଦଳକୁ ବିଜୟୀ କରାଇବାର ସୁଯୋଗ ରହିଥିଲା । କିନ୍ତୁ ରାହୁଲ ଏଥିରେ ଫେଲ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରିବା ପାଇଁ ଦାବି ହୋଇଛି ।

ଋଷଭ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା ବେଳେ ଶେଷ ଦିନିକିଆ ମ୍ୟାଚରେ ଭାରତକୁ ସିରିଜ ପରାଜୟରୁ ବଞ୍ଚାଇପାରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ବାମହାତୀ ବ୍ୟାଟର ଭାବରେ ପନ୍ତ ନିଜ ବ୍ୟାଟିଂ ଏବଂ ୱିକେଟ କିପିଙ୍ଗ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଦଳରେ ତାଙ୍କ ଉପସ୍ଥିତି ଟିମ ଇଣ୍ଡିଆର ବ୍ୟାଟିଂ ଡିପାର୍ଟମେଣ୍ଟକୁ ଆହୁରି ମଜବୁତ କରିପାରେ । ତେଣୁ ଶେଷ ମ୍ୟାଚରେ ରାହୁଲଙ୍କୁ ବାଦ୍ ଦେଇ ଋଷଙଙ୍କୁ ଦଳରେ ସାମିଲ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ଏହାବ୍ୟତୀତ ଦଳରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ ।

ସେପଟେ ଭାରତର ଏପରି ଦୁର୍ବଳ ପ୍ରଦର୍ଶନ ପାଇଚ୍ନୂଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଦାୟୀ କରାଯାଇଛି । ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ମ୍ୟାଚ ପରାଜୟର ଏକ ପ୍ରମୁଖ କାରଣ ବୋଲି ଦାବି କରିଛନ୍ତି କ୍ରିକେଟପ୍ରେମୀ । ଏହି ମ୍ୟାଚରେ ଗମ୍ଭୀରଙ୍କ ରଣନୀତି ଯୋଗୁଁ ଭାରତ ପରାଜୟ ବରଣ କରିଥିବା ଆଲୋଚନା ହେଉଛି । କୋଚ୍ ଗମ୍ଭୀରଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି ।