ନୂଆଦିଲ୍ଲୀ: କୌଣସି ଦେଶର ରାଜା ହେବା ଅର୍ଥ ସେହି ଦେଶର ସବୁଠାରୁ ଧନୀ ଓ କ୍ଷମତାଶାଳୀ ବ୍ୟକ୍ତି ବୋଲି ବୁଝାଏ । ବ୍ରିଟେନରେ କିନ୍ତୁ ଅର୍ଥ ଏହା ନୁହେଁ । ଏଠାରେ ଦେଶର ପ୍ରଧାନମନ୍ତ୍ରୀ ଋଷି ସୁନକ ଧନୀ ମାମଲାରେ ବ୍ରିଟେନର ରାଜା କିଙ୍ଗ୍ ଚାର୍ଲସଙ୍କୁ ପଛରେ ପକାଇ ଦେଇଛନ୍ତି । ବ୍ରିଟିଶ ସମ୍ବାଦପତ୍ର ସଣ୍ଡେ ଟାଇମ୍ସରେ ପ୍ରକାଶିତ ଧନୀଙ୍କ ତାଜା ଲିଷ୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ରିପୋର୍ଟରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସଂପତ୍ତି ଗତ ଏକ ବର୍ଷ ମଧ୍ୟରେ ୧୨ କୋଟି ପାଉଣ୍ଡ(୧୨.୭ ଅରବ ଟଙ୍କା)ରୁ ଅଧିକ ବୃଦ୍ଧି ପାଇ ମୋଟ ୬୫.୧ କୋଟି ପାଉଣ୍ଡ ଅର୍ଥାତ୍ ୬୮.୬୭ ଅରବ ଟଙ୍କାରେ ପହଞ୍ଚିଛି । ଏହି ସମୟରେ କିଙ୍ଗ ଚାର୍ଲସଙ୍କ ମୋଟ ସଂପତ୍ତି ୬୦କୋଟି ପାଉଣ୍ଡରୁ ବୃଦ୍ଧି ପାଇ ୬୧ କୋଟି ପାଉଣ୍ଡ ହିଁ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି କି ବ୍ରିଟେନରେ ଅରବପତିଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି । ଏହା ବର୍ଷ ୨୦୨୨ରେ ୧୭୭ରୁ ହ୍ରାସ ଘଟି ୧୬୫ରେ ପହଞ୍ଚିଛି । ଏହି ଲିଷ୍ଟରେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ବ୍ୟବସାୟୀ ଗୋପୀ ହିନ୍ଦୁଜା ଓ ତାଙ୍କ ପରିବାର ୩୭.୨ ବିଲିୟନ ପାଉଣ୍ଡ ମୋଟ ସଂପତ୍ତି ସହ ଶୀର୍ଷରେ ଅଛନ୍ତି ।
୨୦୨୪ ସଣ୍ଡେ ଟାଇମ୍ସ ରିଚ୍ ଲିଷ୍ଟର ଟପ୍ ୧୦ରେ ଆର୍ସେଲର ମିତ୍ତଲ ଷ୍ଟିଲୱାର୍କସର ଏନଆରଆଇ ଲକ୍ଷ୍ମୀ ନାରାୟଣ ମିତ୍ତଲ ୮ମ ସ୍ଥାନରେ ଅଛନ୍ତି । ଏହାପରେ ବେଦାନ୍ତ ରେସୋର୍ସେସର ପ୍ରତିଷ୍ଠାତା ତଥା ଉଦ୍ୟୋଗପତି ଅନିଲ ଅଗ୍ରୱାଲ ୭ ଅରବ ପାଉଣ୍ଡ ସହ ୨୩ତମ ସ୍ଥାନରେ ଅଛନ୍ତି ।