fbpx

ବିହାରରେ ଆଉ ଏକ ମହାମେଣ୍ଟ!: ଚିରାଗଙ୍କୁ ଭେଟିଲେ ଏହି ଆରଜେଡି ନେତା

ପାଟନା : ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଲୋକ ଜନଶକ୍ତି ପାର୍ଟିର ପୂର୍ବତନ ମୁଖ୍ୟ ଚିରାଗ ପାଶ୍ୱାନ ବର୍ତ୍ତମାନ ବିହାର ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପୂର୍ବରୁ ରାଜ୍ୟରେ କଂଗ୍ରେସ-ଆରଜେଡି-ସିପିଏମ୍ ମଧ୍ୟରେ ମହାମେଣ୍ଟ ହୋଇଥିବା ବେଳେ ଏହି ମେଣ୍ଟରେ ଚିରାଗ ସାମିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଚିରାଗଙ୍କୁ ଏଲଜେପିର ସଂସଦୀୟ ଦଳ ନେତା ପଦରୁ ବହିଷ୍କାର କରିଥିଲେ ଚିରାଗଙ୍କ ଦାଦା ପଶୁପତି ପାରସ ।

ତେବେ ଚିରାଗଙ୍କୁ ରବିବାର ଆରଜେଡି ନେତା ଶ୍ୟାମ ରଜକ ଭେଟିଛନ୍ତି । ଚିରାଗଙ୍କୁ ଭେଟିବା ପୂର୍ବରୁ ରଜକ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହାକୁ ନେଇ ରାଜ୍ୟରେ ଆଉ ଏକ ମହାମେଣ୍ଟ ଆକଳନ କରାଯାଉଛି । ଏନଡିଏରୁ ଅଲଗା ହୋଇ ବିହାର ବିଧାନସଭା ନିର୍ବାଚନ ଲଢିଥିବା ଏଲଜେପି ଖାତାରେ ୫ ପ୍ରତିଶତ ଭୋଟ ପଡିଥିଲା । ରାଜ୍ୟ ରାଜନୀତିରେ ଚିରାଗଙ୍କ ଉପସ୍ଥିତି ଯୁବ ଭୋଟରଙ୍କ ଉପରେ ବେଶ ପ୍ରଭାବ ପକାଇଥାଏ ।

ଏହା ପୂର୍ବରୁ ବିହାର ବିଧାନସଭାରେ ବିରୋଧି ଦଳ ନେତା ରହିଥିବା ତେଜସ୍ୱୀ ଯାଦବ ମଧ୍ୟ ହାତ ମିଶାଇବା ପାଇଁ ଚିରାଗଙ୍କୁ ଆମନ୍ତ୍ରଣ ଦେଇଥିଲେ । ତେବେ ନିଜକୁ ସର୍ବଦା ମୋଦିଙ୍କ ଶିଷ୍ୟ କହୁଥିବା ଚିରାଗଙ୍କ ରାଜନୈତିକ ନିଷ୍ପତ୍ତି କଣ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ନୂତନ ଦଳ ଗଢିବେ ନା ଆରଜେଡି –କଂଗ୍ରେସ ମହାମେଣ୍ଟରେ ଚିରାଗ ସାମିଲ ହେବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.