fbpx
BSKY SKY
BSKY SKY

ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ସଫଳତା: ସିରିଜକୁ ଫେରିଲେ ଭାରତୀୟ ମହିଳା

BSKY

ଲଣ୍ଡନ: ପ୍ରଥମ ଟି-୨୦ ମୁକାବିଲାରେ ପରାଜିତ ହେବା ପରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ମହିଳା ଦଳ । ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତୀୟ ଦଳ ଚମକ୍ରାର ପ୍ରତ୍ୟାବର୍ତ୍ତନ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪ ୱିକେଟ ହରାଇ ମାତ୍ର ୧୪୮ ରନ୍ କରିଥିଲା । ତେବେ ବୋଲର ଓ ଫିଲ୍ଡରଙ୍କ ଚମକ୍ରାର ପ୍ରଦର୍ଶନ ବଳରେ ଭାରତ ମ୍ୟାଚକୁ ୮ ରନରେ ଜିତି ନେଇଥିଲା ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ସ୍ମୃତି ମନ୍ଧାନା(୨୦) ଓ ଶେଫାଳି ବର୍ମା(୪୮) ପ୍ରଥମ ୱିକେଟରେ ୭୦ ରନ୍ ଯୋଡିଥିଲେ । ମାତ୍ର ୨ ରନ ବ୍ୟବଧାନରେ ଉଭୟ ଖେଳାଳି ଆଉଟ ହେବା ପରେ ଭାରତର ସ୍କୋରିଂ ରେଟ ଉପରେ ଅଙ୍କୁଶ ଲଗାଇଥିଲେ ଇଂଲଣ୍ଡ ବୋଲର । ଶେଫାଳି ୩୮ ବଲ ଖେଳି ୮ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୪୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ କୌର(୩୧) ଓ ଦୀପ୍ତି ଶର୍ମା(୨୪) ଉପଯୋଗୀ ଅବଦାନ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ନାଟାଲି ସ୍କିଭର, ଫ୍ରେୂ ଡେଭିସ, ସାରା ଗ୍ଲେନ୍ ଓ ମ୍ୟାଡି ଭିଲିୟର୍ସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୪୯ ରନର ଲକ୍ଷ୍ୟ ଇଂଲଣ୍ଡ ପାଇଁ ସହଜସାଧ୍ୟ ମନେ ହେଉଥିଲା । ତେବେ ଭାରତୀୟ ଫିଲ୍ଡର ୪ଟି ରନଆଉଟ କରି ମ୍ୟାଚକୁ ଭାରତ ଆଡକୁ ଟାଣି ଆଣିଥିଲେ । ଇଂଲଣ୍ଡ ୩୧ ରନରେ ୨ଟି ୱିକେଟ ହରାଇଥିଲେ ହେଁ ଟ୍ୟାମି ବ୍ୟୁମୋଣ୍ଟ(୫୯) ଏବଂ ହିଥର ନାଇଟ(୩୦)ଙ୍କ ମଧ୍ୟରେ ୭୫ ରନର ଭାଗିଦାରୀ ହୋଇଥିଲା । ଲଗାତାର ବଲରେ ଉଭୟ ଖେଳାଳିଙ୍କୁ ଆଉଟ କରି ଭାରତକୁ ମ୍ୟାଚକୁ ଫେରାଇ ଆଣିଥିଲେ ଦୀପ୍ତି ଶର୍ମା । ଶେଷ ଓଭରରେ ବିଜୟ ପାଇଁ ୧୪ ରନ୍ ଆବଶ୍ୟକ ଥିବା ବେଳେ ସ୍ନେହ ରଣାଙ୍କ ଓଭରରୁ ମାତ୍ର ୬ ରନ୍ ସଂଗୃହୀତ ହୋଇଥିଲା । ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ ୧୪୦/୮ରେ ସୀମିତ ରହିଥିଲା । ଭାରତ ପକ୍ଷରୁ ପୁନମ ଯାଦବ ୧୭ ରନରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧତୀ ରେଡ୍ଡୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.