ସଡ଼କ ଦୁର୍ଘଟଣା ଆହତଙ୍କୁ ମାଗଣା ଚିକିତ୍ସା: ୧୮ଟି ଘରୋଇ ହସ୍ପିଟାଲରେ ମିଳିବ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ହ୍ରାସ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଦୁର୍ଘଟଣାଜନିତ ଆହତଙ୍କ ଚିକିତ୍ସା ପାଇଁ ୧୧ଟି ଘରୋଇ ହସ୍ପିଟାଲକୁ ସାମିଲ କରାଯାଇଥିଲା । ତେବେ ଏହି ଲିଷ୍ଟରେ ଏବେ ସାମିଲ ହୋଇଛି ଆଉ ୭ଟି ଘରୋଇ ହସ୍ପିଟାଲ ।

ତେବେ ଏପରି ଭାବେ ମୋଟ ୧୮ଟି ଘରୋଇ ହସ୍ପିଟାଲରେ ସଡ଼କ ଦୁର୍ଘଟଣା ଜନିତ ଆହତମାନେ ମାଗଣାରେ ଚିକିତ୍ସା ପାଇ ପାରିବେ । ୨୦୧୯ରୁ ସଡ଼କ ଦୁର୍ଘଟଣାର ଆହତମାନେ ୧୧ଟି ହସ୍ପିଟାଲରେ ୪୮ ଘଣ୍ଟା ପାଇଁ ମାଗଣା ଚିକିତ୍ସା ସେବା ପାଇ ଆସୁଛନ୍ତି । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ସମ୍, ସମ୍ ଅଲଟିମେଟ, କଳିଙ୍ଗ, ଆମ୍ରି, ହାଇଟେକ, ଉତ୍କଳ, କଟକର ଅଶ୍ୱିନୀ, ରାଉରକେଲାର ଜୟ ପ୍ରକାଶ ହସ୍ପିଟାଲ, ବିଶାଖାପାଟଣାର ମେଡିକଭର ହସ୍ପିଟାଲ, ରାୟପୁରର ରାମକୃଷ୍ଣ କେୟାର ହସ୍ପିଟାଲ ରହିଥିଲା ।

ତେବେ ଏବେ ନୂଆ କରି ଯୋଡ଼ି ହୋଇଥିବା ୭ଟି ହସ୍ପିଟାଲ ତାଲିକାରେ ଭୁବନେଶ୍ୱରର ସନସାଇନ, କେୟାର, ବ୍ଲୁ ହ୍ୱିଲ, କଟକର ପଦ୍ମିନୀ କେୟାର, ଶଶୀଭୂଷଣ ମେମୋରିଆଲ, ସନ୍ ଓ ତ୍ରିଶା ହସ୍ପିଟାଲ ସାମିଲ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୫୧ଟି ଟ୍ରମା କେୟାର ସେଣ୍ଟରରେ ଚିକିତ୍ସା ସୁବିଧା ମିଳୁଛି । ସୁପ୍ରିମକୋର୍ଟର ରୋଡ ସେଫଟି କମିଟି ରିପୋର୍ଟରେ ଓଡ଼ିଶାକୁ ୬୬ ମାର୍କ ଦିଆଯାଇଥିବା ଜଣାପଡ଼ିଛି । ବିଏସକେୱାଇ କାର୍ଡଧାରୀ ଆହତଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଯିବ । ଯାହାର କାର୍ଡ ନଥିବ ତାଙ୍କୁ ୪୮ ଘଣ୍ଟା ପାଇଁ ମାଗଣା ଚିକିତ୍ସା କରାଯିବା ପରେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।