fbpx

ବିଶେଷ ଅଧିବେଶନରେ ପୁଣି ସମସ୍ତଙ୍କୁ ଚକିତ କରିଦେବେ କି ମୋଦୀ ସରକାର ? ଜାତିଗତ ଜନଗଣନାକୁ କାଟିବା ଲାଗି ତିଆରି ହେଉଛି ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଯେଉଁଦିନ ଠାରୁ ସଂସଦର ବିଶେଷ ଅଧିବେଶନ ଲାଗି ଘୋଷଣା କରାଗଲାଣି ସେବେଠାରୁ ଏହାକୁ ନେଇ ରାଜନୈତିକ ସ୍ତରରେ ବିଭିନ୍ନ ଅଟକଳ ଜାରି ରହିଛି । ୨୦୨୪ ନିର୍ବାଚନରେ କ୍ଷମତାଧାରୀ ଏନଡିଏ ସରକାର ବିରୋଧୀ ଇଣ୍ଡିଆ ମେଣ୍ଟକୁ କିପରି କଡା ଜବାବ ଦେବେ ସେଥିଲାଗି ବିଭିନ୍ନ ରଣକୌଶଳ ଆରମ୍ଭ କରିଦେଇଛନ୍ତି । ଯେଉଁସବୁ ପ୍ରସଙ୍ଗ ଉପରେ ଅଧିକ ଚର୍ଚ୍ଚା ହେଉଛି ସେଥିମଧ୍ୟରେ ରହିଛି ଏକ ଦେଶ ଏକ ନିର୍ବାଚନ, ମହିଳା ସଂରକ୍ଷଣ ଓ ୟୁସିସି ବିଲ୍ । କିନ୍ତୁ ଏସବୁ ମଧ୍ୟରେ ଚର୍ଚ୍ଚାର ସବୁଠାରୁ ପ୍ରମୁଖ ବିଷୟ ହେଉଛି ଅନ୍ୟ ପଛୁଆ ବର୍ଗଙ୍କ ବିଭାଗୀକରଣ ସମ୍ବନ୍ଧରେ ବିଚାରପତି ରୋହିଣୀ ଆୟୋଗଙ୍କ ଏକ ରିପୋର୍ଟ । କୁହାଯାଉଛି ସରକାର ଏହାକୁ ସଂସଦର ବିଶେଷ ଅଧିବେଶନରେ ଉପସ୍ଥାପନ କରିବେ । ଜୁଲାଇରେ କମିଶନ ଏହି ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କୁ ଅର୍ପଣ କରିଥିଲେ ।

କୁହାଯାଉଛି ଜାତିଗତ ଜନଗଣନାର ଚାପ ସରକାରଙ୍କ ଉପରେ ବଢିବାରେ ଲାଗିଛି । ବିରୋଧୀଙ୍କ ଏହି ପ୍ରସଙ୍ଗକୁ କାଟିବା ଲାଗି ସରକାରଙ୍କ ପାଖରେ କୌଣସି ଅସ୍ତ୍ର ନାହିଁ । ତେଣୁ ଯେତେ ଶୀଘ୍ର ସରକାର ଚାହୁଁଛନ୍ତି ରୋହିଣୀ କମିଶନ ରିପୋର୍ଟ ଉପରେ ସଂସଦରେ ବିତର୍କ କରାଇବାକୁ । ଏହି ପ୍ରସଙ୍ଗରେ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି ।

ସରକାର ଓବିସିମାନଙ୍କ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥାଜନିତ ଲାଭର ଉଚିତ ବଣ୍ଟନ ଲାଗି ବିଧି, ମାନଦଣ୍ଡ ପ୍ରସ୍ତୁତ କରିବା ଲାଗି ଅକ୍ଟୋବର ୨୦୧୭ରେ ରୋହିଣୀ କମିଶନ ଗଠନ କରିଥିଲେ । ଆୟୋଗକୁ ଏହି କାମ ଦିଆଯାଇଥିଲା କି ଓବିସି ତାଲିକାରେ ସାମିଲ ପ୍ରାୟ ଅଢେଇ ହଜାର ଓବିସି ଜାତିର ଉପଜାତି ଧାର୍ଯ୍ୟ କରିବା ପରେ ୨୭ ପ୍ରତିଶତ ସଂରକ୍ଷଣକୁ ସେମାନଙ୍କ ଅନୁପାତରେ କିପରି ବଣ୍ଟାଯିବ ଯେପରି କାହା ସହ ବି ଅନ୍ୟାୟ ହେବ ନାହିଁ ।

ମିଳିଥିବା ଖବର ଅନୁଯାୟୀ ରୋହିଣୀ ଆୟୋଗ ଓବିସି କୋଟା ଜରିଆରେ କେନ୍ଦ୍ର ସରକାରଙ୍କ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ପ୍ରବେଶଜନିତ ତଥ୍ୟର ବିଶ୍ଲେଷଣ କରିଛନ୍ତି । ଏହି ବିଶ୍ଲେଷଣରୁ ଜଣାପଡିଛି ପ୍ରାୟ ୯୮୩ ଓବିସି ସମୁଦାୟକୁ ସରକାରୀ ଚାକିରୀ ଓ କଲେଜରେ ସିଟ୍ କ୍ଷେତ୍ରରେ ସଂରକ୍ଷଣ ଆଦୌ ମିଳିନାହିଁ । ଏବେ ରୋହିଣୀ କମିଶନର ଏହି ରିପୋର୍ଟ ରାଷ୍ଟ୍ରପତିଙ୍କୁ ଅର୍ପଣ କରାଯାଇଛି ।

ସଂରକ୍ଷଣକୁ ରାଜନୀତି କରିବାକୁ ଚାହୁଁଥିବା ରାଜନୈତିକ ଦଳମାନେ ଦୀର୍ଘ ସମୟରୁ ଦାବୀ କରି ଆସୁଛନ୍ତି କି ଦେଶରେ ଜାତିଗତ ଜନଗଣନା କରାଯାଉ । ଓବିସି ନେତାଙ୍କ ଦାବୀ ସେମାନଙ୍କ ଜନସଂଖ୍ୟା ତୁଳନାରେ ସେମାନଙ୍କୁ କମ୍ ଆରକ୍ଷଣ ମିଳୁଛି । ତେଣୁ ଯଦି ଓବିସିମାନଙ୍କର ଜନସଂଖ୍ୟା ଅଧିକ ଆସିବ ତେବେ ସେମାନଙ୍କ ଲାଗି ଥିବା ୨୭ ପ୍ରତିଶତ ସଂରକ୍ଷଣକୁ ବୃଦ୍ଧି କରାଯିବାକୁ ଦାବୀ କରାଯିବ । କିନ୍ତୁ କୌଣସି ସରକାର ଚାହିଁବେନି ଦେଶରେ ପୁଣି ମଣ୍ଡଳ କମିଶନ ଲାଗୁ ହେବା ପରେ ଯେପରି ଘଟଣା ଘଟିଥିଲା ତାହାର ପୁନରାବୃତ୍ତି ହେଉ ।

ଅନ୍ୟପକ୍ଷରେ କ୍ଷମତାସୀନ ଏନଡିଏ ସରକାରର ଦୃଷ୍ଟି ଅତିପଛୁଆ ବର୍ଗଙ୍କ ଭୋଟ ଉପରେ ନିବଦ୍ଧ ରହିଛି । ତେଣୁ ରୋହିଣୀ କମିଶନ ରିପୋର୍ଟ ମାଧ୍ୟମରେ ଏହି ଓବିସିଙ୍କ ମଧ୍ୟରେ ଅତି ପଛୁଆ ଓ ସ୍ୱଚ୍ଛଳ ପଛୁଆଙ୍କ ମଧ୍ୟରେ ଫରକ ଦେଖାଇ ରାଜନୈତିକ ଲାଭ ଉଠାଇବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି ।

Get real time updates directly on you device, subscribe now.