fbpx

ରୋହିତ-ହାର୍ଦ୍ଦିକ ଅଛନ୍ତି, ନାହାନ୍ତି ବିରାଟ: ଏହି ଦଳରେ କିଙ୍ଗ କୋହଲିଙ୍କୁ ମିଳିଲାନି ସ୍ଥାନ, କିଏ ଅଧିନାୟକ?

Advertisement

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରେ ଚମ୍ପିଆନ୍ ହୋଇଛି ଟିମ ଇଣ୍ଡିଆ । ୧୧ ବର୍ଷ ପରେ ଆଉ ଏକ ଆଇସିସି ଟ୍ରଫି ହାସଲ କରିଛି ଟିମ ଇଣ୍ଡିଆ । ତେବେ ଏହାସହିତ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟ୍ରଫି ହାତେଇବା ପାଇଁ ଦଳର ୧୭ ବର୍ଷର ଅପେକ୍ଷା ଶେଷ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଥର ଟି-୨୦ ବିଶ୍ୱବିଜେତା ପାଲଟିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଆଇସିସି ଜାରି କରିଛି ଟିମ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ । ଏହି ଦଳରୁ ବାଦ୍ ପଡ଼ିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ।

ବିଶ୍ୱକପ ସରିବା ପରେ ଆଇସିସି ଟିମ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କରିଛି । ବିଶ୍ୱବିଜୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରିଥିବା ବେଳେ ଭାରତର ୬ ଜଣ ଖେଳାଳି ଏହି ଦଳରେ ସ୍ଥାନରେ ପାଇଛନ୍ତି । ଏହାବ୍ୟତୀତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜର କିଛି ଖେଳାଳି ମଧ୍ୟ ସାମିଲ ରହିଛନ୍ତି । ରୋହିତଙ୍କ ବ୍ୟତୀତ ଦଳରେ ଟିମ ଇଣ୍ଡିଆର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରାହ, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ ଏବଂ ଅର୍ଶଦୀପ ସିଂହଙ୍କୁ ମଧ୍ୟ ସାମିଲ କରାଯାଇଛି । ବିଶ୍ୱକପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଭାରତକୁ ବିଶ୍ୱବିଜେତା କରାଇବାରେ ଏହି ଖେଳାଳିମାନେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ତେବେ ବିଶ୍ୱକପରେ ବିରାଟ କୋହଲିଙ୍କ ବ୍ୟାଟ୍ ଶାନ୍ତ ରହିଥିଲା । କେବଳ ଫାଇନାଲରେ ୭୬ ରନ୍ ବ୍ୟତୀତ ଅନ୍ୟ ମ୍ୟାଚ ଗୁଡ଼ିକରେ ବଡ଼ ସ୍କୋର କରିବାରେ ଫେଲ ମାରିଥିଲେ ବିରାଟ କୋହଲି । ତେଣୁ ଏହି ଦଳରେ ତାଙ୍କୁ ସ୍ଥାନ ମିଳି ପାରିନାହିଁ ।

ରୋହିତଙ୍କ ସହ ଶୀର୍ଷକ୍ରମରେ ଆଫଗାନିସ୍ତାନର ରହମାନୁଲ୍ଲାହ ଗୁରବାଜଙ୍କୁ ସ୍ଥାନ ଦିଆଯାଇଛି । ବିଶ୍ୱକପରେ ସର୍ବାଧିକ ୨୮୧ ରନ୍ କରିଥିବା ଗୁରବାଜଙ୍କୁ ଦ୍ୱିତୀୟ ଓପନର ଭାବରେ ଦଳରେ ସ୍ଥାନ ମିଳିଛି । ୩ ନମ୍ବରରେ ୩୨ ହାରରେ ୨୨୮ ରନ୍ କରିଥିବା ୱେଷ୍ଟଇଣ୍ଡିଜର ନିକେଲାସ ପୁରନ୍ ରହିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ଭାରତର ମିଷ୍ଟର ୩୬୦ ସୂର୍ଯ୍ୟକୁମାରଙ୍କୁ ସାମିଲ କରିଛି ଆଇସିସି । ଏହାପରେ ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ସ୍ଥାନ ମିଳିଛି । ଟୁର୍ଣ୍ଣାମେଣ୍ଟରେ ଷ୍ଟୋଇନିସ ୪୦ ହାରରେ ୧୬୯ ରନ୍ କରିଥିବା ବେଳେ ୧୦ଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।

ଷଷ୍ଠ ଖେଳାଳି ଭାବରେ ଦଳରେ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ଟୁର୍ଣ୍ଣାମେଣ୍ଟରେ ୪୮ ହାରରେ ୧୪୪ ରନ୍ କରିବା ସହିତ ୧୧ଟି ୱିକେଟ ହାସଲ କରିଛନ୍ତି । ଫାଇନାଲରେ ତାଙ୍କର ୨ ଓଭର ଭାରତକୁ ବିଶ୍ୱବିଜୟୀ କରାଇଛି । ଏହାପରେ ଅକ୍ଷର ପଟେଲ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଅଷ୍ଟମ ସ୍ଥାନରେ ଆଫଗାନୀ ଅଧିନାୟକ ରାଶିଦ ଖାନ୍(୧୫ ୱିକେଟ) ଦଳରେ ସାମିଲ ହୋଇଛନ୍ତି । ପେସ୍ ବୋଲର ତାଲିକାରେ ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହ(୧୫ ୱିକେଟ) ପ୍ରଥମ ଖେଳାଳି ଭାବରେ ରହିଛନ୍ତି ।

ଏହାପରେ ଅନ୍ୟତମ ଷ୍ଟାର ବୋଲର ଅର୍ଶଦୀପ ସିଂହ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଅର୍ଶଦୀପ ବିଶ୍ୱକପରେ ମୋଟ ୧୭ଟି ୱିକେଟ ହାସଲ କରି ଏହି ଦଳରେ ସ୍ଥାନ ପକ୍କା କରିଛନ୍ତି । ଆଫଗାନୀ ଫାଷ୍ଟ ବୋଲର ଫଜଲହକ ଫାରୁକୀ(୧୭ ୱିକେଟ) ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି । ତେବେ ଏହି ଦଳରେ ଦ୍ୱାଦଶ ଖେଳାଳି ଭାବରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ଏନରିକ ନୋକିଆଙ୍କୁ ସାମିଲ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୧୫ଟି ୱିକେଟ ହାସଲ କରିଛନ୍ତି ।

ଟି-୨୦ ବିଶ୍ୱକପ ICC Team of The Tournament: ରୋହିତ ଶର୍ମା(ଅଧିନାୟକ), ରହମାନୁଲ୍ଲାହ ଗୁରବାଜ, ନିକୋଲାସ ପୁରନ୍, ସୂର୍ଯ୍ୟକୁମାର ଯାଦବ, ମାର୍କସ ଷ୍ଟୋଇନିସ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରାଶିଦ ଖାନ୍, ଜଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ଫଜଲହକ ଫାରୁକୀ ।
ଦ୍ୱାଦଶ ଖେଳାଳି: ଏନରିକ ନୋକିଆ ।

Get real time updates directly on you device, subscribe now.