ଦିନିକିଆରେ ରୋହିତ ଏବଂ କୋହଲି ଖେଳିବେ ନା ନାହିଁ? BCCI ପକ୍ଷରୁ ଆସିଲା ବଡ଼ ଅପ୍‌ଡେଟ୍‌

ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବେ କି ନାହିଁ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଯେବେଠାରୁ ଟେଷ୍ଟ ଫର୍ମାଟରୁ ଅବସର ନେଲେଣି, ସେବେଠୁ ଏମାନେ ଦିନିକିଆରେ ଖେଳିବେ କି ନାହିଁ ଚର୍ଚ୍ଚା ଜୋର ଧରିଛି।

ରୋହିତ ଏବଂ କୋହଲି ଦୁହେଁ ୨୦୨୪ରେ ଖେଳାଯାଇଥିବା ଟି୨୦ ୱାର୍ଲଡ କପ୍ ଫାଇନାଲରେ ଟିମ ଇଣ୍ଡିଆର ବିଜୟ ପରେ ଏହି ଫର୍ମାଟରୁ ଦୁହେଁ ଅବସରର ନେଇଛନ୍ତି।

ସେମାନେ ଦିନିକିଆ ଖେଳିବେ କି ନାହିଁ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ଏନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନିଜ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି।

୧୫ ଜୁଲାଇରେ ଲଣ୍ଡନରେ କିଙ୍ଗ ଚାଲର୍ସ ଥାର୍ଡଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରେସ୍‌ମିଟରେ କହିଛନ୍ତି ଯେ, ରୋହିତ ଏବଂ କୋହଲି ଦିନିକିଆରେ ଖେଳିବାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ରୋହିତ ଶର୍ମା ନିଜ ଟେଷ୍ଟ ଅବସର ସମୟରେ କହିଥିଲେ ଯେ, ସେ ଦିନିକିଆ ଖେଳିବା ଜାରି ରଖିବେ।

ସେହିପରି କୋହଲି ମଧ୍ୟ କହିଥିଲେ ଯେ, ସେ ୨୦୨୭ ବିଶ୍ୱ କପ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟ ଖେଳିବାକୁ ଚାହାନ୍ତି। ୨୦୨୭ର ଦିନିକିଆ ବିଶ୍ୱ କପ୍ ସାଉଥ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆର ମିଳିତ ଆୟୋଜନରେ ଖେଳାଯିବ।

ରାଜୀବ ଶୁକ୍ଳା ଆହୁରି କହିଛନ୍ତି ଯେ, ରୋହିତ ଏବଂ ବିରାଟଙ୍କ ଉପରେ କୌଣସି ପ୍ରେସର ନଥିଲା। ଆମ ସମସ୍ତଙ୍କୁ ରୋହିତ ଏବଂ କୋହଲିଙ୍କ ଅନୁପସ୍ଥିତି ଅନୁଭବ ହେଉଛି।

ହେଲେ ରୋହିତ ଏବଂ କୋହଲି ନିଜେ ଏହି ଅବସର ପାଇଁ ନିଷ୍ପତ୍ତି ନେଇଛନ୍ତି। ବିସିସିଆଇର ଏହି ପଲିସି ରହିଛି ଯେ, ଆମେ କୌଣସି ଖେଳାଳିଙ୍କୁ କେବେ ଏହା କହୁ ନାହୁଁ ଯେ; କେବେ ଏବଂ କେଉଁ ଫର୍ମାଟରେ ସେମାନଙ୍କୁ ଅବସର ନେବା ଆବଶ୍ୟକ।