ରୋହିତ ଶର୍ମା ହେବେ ଟି-୨୦ ଦଳର ଅଧିନାୟକ, ନ୍ୟୁଜିଲାଣ୍ଡ ସିରିଜରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ମୁମ୍ବାଇ : ଆସନ୍ତା ଦିନେ କି ଦୁଇ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଏହା ପୂର୍ବରୁ କିଏ ଟି-୨୦ ଦଳର ନେତୃତ୍ଵ ନେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଭାରତୀୟ ଦଳରେ ବଡ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ସୀମିତ ଓଭରର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ  ଭାରତୀୟ ଦଳର ଅଧିନାୟକ କରାଯାଇପାରେ । ଏଥିସହ ଟେଷ୍ଟ ସିରିଜ୍ ପ୍ରଥମ ମ୍ୟାଚ୍ରେ ମଧ୍ୟ ରୋହିତ ଦଳର ନେତୃତ୍ଵ ନେଇ ପାରନ୍ତି । ଟେଷ୍ଟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେବେ ଏବଂ ସେ ମୁମ୍ବାଇରେ ଖେଳାଯିବାକୁ ଥିବା ଦ୍ଵିତୀୟ ଟେଷ୍ଟରେ ଦଳର ନେତୃତ୍ଵ ନେବେ।

ଆଜିଙ୍କ୍ୟ ରାହାଣେ ପୂର୍ବବତ୍ତ ଟେଷ୍ଟ ଦଳର ଉପ ଅଧିନାୟକ ରହିବେ । ଟି-୨୦ ସିରିଜ୍ ପାଇଁ କେଏଲ ରାହଲଙ୍କୁ ଉପ ଅଧିନାୟକ କରାଯାଇପାରେ । ଜୟପୁର, ରାଞ୍ଚି ଓ କୋଲକାତାରେ ତିନୋଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଅନ୍ୟପଟେ କାନପୁର ଓ ମୁମ୍ବାଇରେ ଦୁଇଟି ଟେଷ୍ଟ ଖେଳାଯିବ।

ଦଳର କିଛି ବରିଷ୍ଠ ଖେଳାଳି ଯଶପ୍ରୀତ ବୁମରା, ମହମ୍ମଦ ଶାମିଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇପାରେ । ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ହର୍ଷଲ ପଟେଲଙ୍କୁ ଦଳରେ ସୁଯୋଗ ମିଳିପାରେ । ପଟେଲ୍ ଗତ ଦୁଇଟି ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଛନ୍ତି । ମାତ୍ର ଟ-୨୦ ବିଶ୍ଵ କପରେ ତାଙ୍କୁ ଅଣଦେଖା କରାଯାଇଥିଲା ।

ଶ୍ରେୟସ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି । ଦୀପକ ଚହର ଓ ରାହୁଲ ଚହର ମଧ୍ୟ ଦଳରେ ସୁଯୋଗ ମିଳିପାରେ। ବାକି ଦଳର ସଦସ୍ୟ ନିଜର ସ୍ଥାନ ବଜାୟ ରଖିବେ।