ଦଳରୁ ବାହାରିବେ ରୋହିତ-ବିରାଟ: ଅଷ୍ଟ୍ରେଲିଆ ସିରିଜ କରିବ ଭାଗ୍ୟ ନିରୂପଣ, ଜଗିଛନ୍ତି ଅଗରକର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ନିଆଯିବ ବଡ଼ ନିଷ୍ପତ୍ତି । ଏଥିପାଇଁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର୍ଙ୍କୁ ବର୍ଡରଗାଭାସ୍କର ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଛି । ସେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ମିଶି ଭବିଷ୍ୟତର ଧଳା ବଲ୍ କ୍ରିକେଟ ଟିମ୍ ସହ ଟେଷ୍ଟ କ୍ରିକେଟର ରୋଡ ମ୍ୟପ ପ୍ରସ୍ତୁତ କରିବେ । ଏଥିସହ ଗମ୍ଭୀରଙ୍କୁ ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ପରାମର୍ଶ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ଘରୋଇ ମାଟିରେ ୦-୩ରେ ହାରିବା ପରେ ଟିମ୍ ମ୍ୟାନେଜମେଣ୍ଟ ପ୍ରଶ୍ନଘେରରେ ରହିଛି । ଫଳସ୍ୱରୂପ ଅଗରକରଙ୍କୁ ପୂରା ଟେଷ୍ଟ ସିରିଜ୍ ସମୟରେ ଅଷ୍ଟ୍ରେଲିଆରେ ରହି ଗମ୍ଭୀରଙ୍କ ସହ ମିଳିତ ଭାବେ କାମ କରିବାକୁ କୁହାଯାଇଛି । ବିସିସିଆଇ ସୂତ୍ରରେ କୁହାଯାଇଛି, ‘ଉଭୟ ଅଗରକର ଓ ଗମ୍ଭୀର ଭଲ ଭାବେ ଜାଣିଛନ୍ତି ଯେ ଭାରତରେ ଦୁର୍ବଳ ପ୍ରଦର୍ଶନ ନିଶ୍ଚିତ ଭାବେ ସମାଲୋଚନାକୁ ନିମନ୍ତ୍ରଣ କରିବ । ଏହା ମଧ୍ୟ ସ୍ୱାଭାବିକ । ଯେହେତୁ ଅଷ୍ଟ୍ରେଲିଆରେ ଭାରତ ୫ଟି ଟେଷ୍ଟ ଖେଳିବ, ତେଣୁ ଅଗରକର ଓ ଗମ୍ଭୀର ଏକାଠି ବସି ସିରିଜ ପରେ ଦଳର ରୂପରେଖ କେମିତି ଆଗକୁ ରହିବ, ସେ ବିଷୟରେ ଆଲୋଚନା ପାଇଁ ସମୟ ପାଇପାରିବେ । ଶକ୍ତିଶାଳୀ ବ୍ୟାକ୍ଅପ୍ ସହ ଗୋଟିଏ ଦୃଢ଼ ଟିମ୍ ଗଠନ ପାଇଁ ଉଭୟଙ୍କୁ ସମ୍ଭବତଃ ଦେଢ଼ ବର୍ଷ ସମୟ ଲାଗିପାରେ । ଏଥିପାଇଁ ଉଭୟଙ୍କୁ ଏକାଠି ରହି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି ।’

ରିପୋର୍ଟ ଅନୁସାରେ, ଦଳର ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ହେବ । ରୋହିତ ଶର୍ମା, ବିରାଟ କୋହଲି, ରବି ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ଏବେ ବୟସ୍କ ହୋଇସାରିଲେଣି । ଏମାନେ ଯେକୌଣସି ସମୟରେ ଅବସର ମଧ୍ୟ ନେଇପାରନ୍ତି । ତେଣୁ ବରିଷ୍ଠ ଖେଳାଳିଙ୍କ ପରେ ଟିମର ରୂପରେଖ କେମିତି ରହିବ, ତା’ର ଯୋଜନା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରେ ପ୍ରସ୍ତୁତ ହେବ । ବର୍ଡର ଗାଭାସ୍କର ଟ୍ରଫି ପରେ ରୋହିତ ଓ ବିରାଟଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।