fbpx

World Cup ଫାଇନାଲ ପାଇଁ ରୋହିତଙ୍କ ‘ଅଷ୍ଟ୍ରେଲିଆ’ ଫଣ୍ଡା: ଅଷ୍ଟ୍ରେଲିଆକୁ ତା’ ଷ୍ଟାଇଲରେ ଚକମା ଦେଇ ବିଶ୍ୱକପ ଜିତିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ପହଞ୍ଚିଛି ସେହି ମୁହୂର୍ତ୍ତ । ବିଶ୍ୱକପ ଫାଇନାଲ ପାଇଁ ପ୍ରସ୍ତୁତ ହୋଇଛି ମହାମଞ୍ଚ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି ମହାସମର । ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିବା ପରେ ଏବେ ଟ୍ରଫି ଉଠାଇବା ପାଇଁ ପ୍ଲାନ କରୁଛନ୍ତି ଉଭୟ ଦଳ । ତେବେ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ଖୁବ ଶକ୍ତିଶାଳୀ ରହିଛନ୍ତି । ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ । ତେବେ ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ରୋହିତ ଅଷ୍ଟ୍ରେଲିଆର କୌଶଳ ଆପଣାଇବେ ବୋଲି କୁହାଯାଉଛି ।

ଅହମ୍ମଦାବାଦ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ କେବଳ ବିଶ୍ୱକପ ଫାଇନାଲ ନୁହେଁ, ଏଥିରେ ଇତିହାସର ଝଲକ ମଧ୍ୟ ଦେଖିବାକୁ ମିଳିବ । ୨୦ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଦେଇଥିବା ଆଘାତର ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଲାଇବ ରୋହିତ ସେନା । ଅଷ୍ଟ୍ରେଲିଆକୁ ପରାସ୍ତ କରି ସେଦିନର ପ୍ରତିଶୋଧ ନେବ ଟିମ ଇଣ୍ଡିଆ ।

ସୂଚନା ଯୋଗ୍ୟ ଯେ, ୨୦୦୩ ମସିହା ମାର୍ଚ୍ଚ ୨୩ ତାରିଖରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ୧୦ଟି ମ୍ୟାଚେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଏହି ୧୦ଟି ବିଜୟ ମଧ୍ୟରେ ଗୋଟିଏ ବିଜୟ ଭାରତ ବିପକ୍ଷରେ ହାସଲ କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତ ୮ଟି ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଥିଲା । ତେବେ ମ୍ୟାଚରେ ଅଷ୍ଟ୍ରେଲିଆ ସୌରଭ ଗାଙ୍ଗୁଲିଙ୍କ ଦଳକୁ ମାତ୍ ଦେଇ ତୃତୀୟ ଥର ପାଇଁ ବିଶ୍ୱବିଜୟୀ ହୋଇଥିଲା ।

କିନ୍ତୁ ଚଳିତବର୍ଷ ପରିସ୍ତିତି ସମ୍ପୂର୍ଣ୍ଣ ବଦଳିଯାଇଛି । ୨୦୦୩ରେ ଅଷ୍ଟ୍ରେଲିଆ ସହ ଥିବା ସମସ୍ତ ସ୍ଥିତି ଚଳିତବର୍ଷ ଭାରତ ସହ ରହିଛି । ଟୁର୍ଣ୍ଣାମେଣ୍ଟରେ ୯ଟି ଲିଗ୍ ମ୍ୟାଚ ସହ ସେମି ଫାଇନାଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ତେବେ ଅଷ୍ଟ୍ରେଲିଆ ୮ଟି ମ୍ୟାଚ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି । ଏହାବ୍ୟତୀତ ଭାରତ ଏହି ଫାଇନାଲକୁ ଜିତିଲେ ତୃତୀୟ ଥର ପାଇଁ ଚମ୍ପିଆନ୍ ପାଲଟିବ । ତେଣୁ ସମସ୍ତ ଦୃଷ୍ଟିକୁ ଲକ୍ଷ୍ୟ କଲେ ଏଥର ଅଷ୍ଟ୍ରେଲିଆକୁ ତା’ ଷ୍ଟାଇଲରେ ହିଁ ଚକମା ଦେଇ ଟ୍ରଫି ନିଜ ନାମରେ କରିବାକୁ ନଜର ରଖିଛନ୍ତି ଅଧିନାୟକ ରୋହିତ ଏବଂ ଟିମ ମ୍ୟାନେଜମେଣ୍ଟ ।

Get real time updates directly on you device, subscribe now.