ସାଉଣ୍ଡକୁ ନେଇ ରୋହିତଙ୍କ ଅଭିଯୋଗ: ଜାଣନ୍ତୁ କ’ଣ କହିଲେ…

କଟକ: ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ସମୟରେ ଡିଜେ ସାଉଣ୍ଡ୍ ଖେଳାଳିଙ୍କୁ ବ୍ୟତିବ୍ୟସ୍ତ କରିଥିଲା। ୧୧୮ ଡେସିବଲ୍‌ରୁ ଅଧିକ ଶବ୍ଦରେ ସାଉଣ୍ଡ୍ ବାଜିବାକୁ ନେଇ କ୍ଷୁବ୍ଧ ହୋଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ହାତ ଇଙ୍ଗିତରେ, ରୋହିତ ଡିଜେଙ୍କୁ ଗୀତ ବନ୍ଦ କରିବାକୁ କହିଥିଲେ। ରୋହିତ ପ୍ରଥମେ ଅମ୍ପାୟାରଙ୍କୁ ଅଭିଯୋଗ ବି କରିଥିଲେ।

ଗୀତ ଶୁଣି ରୋହିତ ତାଙ୍କ ବ୍ୟାଟିଂରେ ଏକାଗ୍ରତା ହରାଇ ଦେଉଥିଲେ, ତେଣୁ ରୋହିତ କ୍ରୋଧିତ ହୋଇ “ବନ୍ଦ କର” କହୁଥିବା ସ୍ପଷ୍ଟ ଭାବରେ ଜଣାପଡୁଥିଲା। ରୋହିତଙ୍କ ଅଭିଯୋଗ ଆଧାର ରେ ବାରବାଟୀରେ ସାଉଣ୍ଡ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଏମିତିକି ଭାରତୀୟ ବ୍ୟାଟିଂ ଇନିଂସର ୭ ଓଭର ପରଠାରୁ ଆଦୌ ସାଉଣ୍ଡ୍ ବାଜି ନଥିଲା।

କେବଳ ସେତିକି ନୁହେଁ, ଯେତେବେଳେ ବାରବାଟୀରେ ଫୁଡ୍‌ଲାଇଟ୍ କଟିଥିଲା ଏବଂ ଖେଳାଳି, ଦର୍ଶକ ଲାଇଟ୍‌କୁ ଅପେକ୍ଷା କରିଥିଲେ ସେହି ସମୟରେ ଛି..ଛି..ଛି ରେ ନନୀ ଛି.. ଗୀତ ବାଜିବାକୁ ନେଇ ଦର୍ଶକ ଆଦୌ ଗ୍ରହଣ କରିପାରିନଥିଲେ। ଲାଇଟ୍ ସ୍ବାଭାବିକ ହେବା ପରେ ଖେଳ ଆରମ୍ଭ ହେବା ବେଳକୁ ବ୍ୟାଟର ପିଜ୍‌ରେ ପ୍ରସ୍ତୁତ ଥିଲେ । କିନ୍ତୁ ଗୀତ ବନ୍ଦ ହୋଇନଥିଲା। ଅମ୍ପାୟାର ଗୀତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କିଛି ସମୟ ଯାଏ ଗୀତ ବାଜୁଥିବାରୁ ରୋହିତ ଶର୍ମା ବିରକ୍ତଭାବ ପ୍ରଦର୍ଶନ କରିଥିଲେ।