(Video) କାର୍ ଟାୟାରରୁ ବାୟୁ ବଦଳରେ ବାହାରିଲା ପୁଳାପୁଳା ଟଙ୍କା, ଏତେ ନୋଟ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମସ୍ତେ ଜାଣନ୍ତି ଯେ କାର୍ ଟାୟାରରେ ବାୟୁ ରହିଥାଏ, କିନ୍ତୁ ଆପଣ କେବେ କାର୍ ଟାୟାର ଭିତରେ ବିଡାବିଡା ନୋଟ୍ ଦେଖିଛନ୍ତି କି ? ଏଭଳି ଚମତ୍କାର ଝାଡଖଣ୍ଡରେ ଦେଖାଯାଇଛି । ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ସମାପ୍ତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର 20 ରେ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଟାୟାର ଭିତରୁ ବିଡା ବିଡା ନୋଟ୍ ଜବତ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ନିର୍ବାଚନକୁ ଆଖି ଆଗରେ ରଖି ଚେକିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସେହି କ୍ରମରେ ଗିରିଡିହ ଜିଲ୍ଲାର ଦେଓରୀ ପୋଲିସ ଷ୍ଟେସନ ଅଞ୍ଚଳର ଚେକ୍ ପୋଷ୍ଟରେ ଗାଡି ଯାଞ୍ଚ ସମୟରେ ଏକ ସ୍ବିଫ୍ଟ କାରକୁ ଅଟକାଯାଇଥିଲା । ତେବେ ଯାଞ୍ଚ ସମୟରେ ସମସ୍ତେ ଚକିତ ହୋଇଯାଇଥିଲେ । କାରର ଷ୍ଟେପ୍ ଟାୟାର ଭିତରେ 25 ଲକ୍ଷ ଟଙ୍କା ନଗଦ ରଖାଯାଇଥିଲା । ତେବେ ଏହି ଘଟଣାରେ 3ଜଣଙ୍କୁ ଗିରଫ କରାଯାଇଥିଲା । ଗିରିଡିହ ଜିଲ୍ଲା ଡେପୁଟି କମିଶନର ଏନେଇ ସୂଚନା ଦେଇଛନ୍ତି । ତେବେ ଟଙ୍କା କେଉଁଠାକୁ କେଉଁ କାମ ପାଇଁ ବ୍ୟବହାର ହେବାକୁ ଯାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାଞ୍ଚ କରୁଥିବା ଅଧିକାରୀଜଣକ ଟାୟାରରକୁ ଏକ ଟେବୁଲ ଉପରେ ରଖି ବିଡା ବିଡା ନୋଟ୍ ବାହାର କରୁଥିବା ଦେଖାଯାଇଛି ।