fbpx

ବିଶ୍ୱକପ ଜିତିବାକୁ ‘ଚକ୍ରବ୍ୟୁହ’ ରଚିଥିଲେ ଋଷଭ: ଦକ୍ଷିଣ ଆଫ୍ରିକା ହାତରୁ ଛଡ଼ାଇନେଲେ ଫାଇନାଲ ଟ୍ରଫି

Advertisement

ଓଡ଼ିଶା ଭାସ୍କର: ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ୱକପ ଟ୍ରଫିର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ଆଶାକୁ ଭାଙ୍ଗି ଦ୍ୱିତୀୟ ଥର ଚମ୍ପିଆନ୍ ହୋଇଛି ଭାରତ । ଟିମ ଇଣ୍ଡିଆର ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ଦ୍ୱିତୀୟ ଥର ବିଶ୍ୱବିଜୟୀ କରାଇଛି । ତେବେ ୧୭ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବୋଲିଂ ଭାରତ ପାଇଁ ବିଜୟର ଦ୍ୱାର ଖୋଲିଥିଲା । ହେନରିକ କ୍ଲାସେନଙ୍କ ୱିକେଟ ଟିମ ଇଣ୍ଡିଆ ପାଇଁ ବରଦାନ ସାଜିଥିଲା । ତେବେ ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଚକ୍ରବ୍ୟୁହ ରଚିଥିଲେ ୱିକେଟକିପର ଋଷଭ ପନ୍ତ ।

ଟିମ ଇଣ୍ଡିଆର ୧୭୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦମଦାର ବ୍ୟାଟିଂ କରୁଥିଲା ଦକ୍ଷିଣ ଆଫ୍ରିକା । ହେନରିକ କ୍ଲାସେନ ଦକ୍ଷିଣ ଆଫ୍ରିକାକୁ ପ୍ରଥବ ଟ୍ରଫି ଜିତାଇବା ଲକ୍ଷ୍ୟରେ ବ୍ୟାଟିଂ ଜାରି ରଖିଥିଲେ । ୨୭ ବଲରୁ ୫୭ ରନ୍ କରି ଭାରତୀୟ ବୋଲରଙ୍କ ଉପରେ ଭାରୀ ପଡ଼ିଥିଲେ ହେନରିକ କ୍ଲାସେନ । ତେବେ ୨୪ ବଲରୁ ୨୬ ରନ୍ ଆବଶ୍ୟକ କରୁଥିବା ବେଳେ ଚକ୍ରାନ୍ତ କରିଥିଲେ ଋଷଭ ପନ୍ତ । ୧୬ ଓଭର ସରିବା ପରେ ଅଚାନକ ଖେଳ ରୋକି ଦେଇଥିଲେ ଋଷଭ । ଖତରନାକ ବ୍ୟାଟିଂ କରୁଥିବା କ୍ଲାସେନଙ୍କ ଲୟ ଭାଙ୍ଗିବା ପାଇଁ ଋଷଭ ପଡ଼ିଆ ଭିତରକୁ ଫିଜିଓ ଡକାଇଥିଲେ ଏବଂ ଆଣଣ୍ଠୁରେ ଯନ୍ତ୍ରଣା କହି ପଟି ବାନ୍ଧିଥିଲେ । ଏହି ସମୟରେ କିଛି ସମୟ ଅତିବାହିତ ହେବା ପରେ ହେନରିକ କ୍ଲାସେନ ନିଜ ଲୟ ହରାଇ ବସିଥିଲେ ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୭ତମ ଓଭର ବୋଲିଂ ଦେଇଥିଲେ ଅଧିନାୟକ ରୋହିତ । ତେବେ ହାର୍ଦ୍ଦିକଙ୍କ ବଲକୁ ବୁଝି ନ ପାରି କ୍ଲାସେନ ଭୁଲ ଶଟ୍ ଖେଳିଥିଲେ ଏବଂ ଋଷଭ ପନ୍ତଙ୍କ ହାତରେ କ୍ୟାଚ ହୋଇ ପାଭିଲିୟନ୍ ଫେରିଥିଲେ । ଏହି ମୁହୂର୍ତ୍ତରୁ ଟିମ ଇଣ୍ଡିଆର ବୋଲିଂ ୟୁନିଟ ପୁଣିଥରେ ଦକ୍ଷିଣ ଆଫ୍ରିକା ଉପରେ ଭାରୀ ପଡ଼ିଥିଲା । ତେବେ ଜଶପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ପରେ ଶେଷ ଓଭରରେ ୧୬ ରନ୍ ଆବଶ୍ୟକ କରୁଥିଲେ ଦକ୍ଷିଣ ଆଫ୍ରିକା । କିନ୍ତୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହାକୁ ଡିଫେଣ୍ଡ କରି ଦଳକୁ ଦ୍ୱିତୀୟ ବିଶ୍ୱକପ ଟ୍ରଫି ଭେଟି ଦେଇଛନ୍ତି ।

Get real time updates directly on you device, subscribe now.