fbpx

‘ଭାରତକୁ ଯୁଦ୍ଧରେ ମଧ୍ୟସ୍ଥତା ପାଇଁ ଋଷର ଅଫର’: ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଶଂସା

ନୂଆଦିଲ୍ଲୀ: ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ବୁଧବାର ଦୁଇଦିନିଆ ଭାରତ ଗସ୍ତରେ ପହଞ୍ଚିଛନ୍ତି । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ଭାରତ ଆସିଥିବା ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ଶୁକ୍ରବାର ଭାରତର ସ୍ୱତନ୍ତ୍ର ନୀତିର ବାରମ୍ବାର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯଦି ଭାରତ ଋଷ ଠାରୁ କିଛି କିଣିବାକୁ ଚାହୁଥାଏ ତେବେ ଏହା ଉପରେ ଆମେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ । ଏହାସହ ଲାବରୋବ କହିଛନ୍ତି ଯେ ଯୁଦ୍ଧରେ ଭାରତର ମଧ୍ୟସ୍ଥତା ଋଷକୁ କୌଣସି ଆପତ୍ତି ନାହିଁ । ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତକାର ପରେ ଲାବରୋବ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି ଭାରତ କିଛି ବି କିଣିବାକୁ ଚାହୁଛନ୍ତି ତେବେ ଆମେ କଥାବାର୍ତ୍ତା ଏବଂ ପାରସ୍ପରିକ ଭାବରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ ।

ପୂର୍ବରୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କ ସହ ସାକ୍ଷାତକାର କରି କହିଥିଲେ ଯେ ଭାରତ ନିଜ ଏଜେଣ୍ଡାକୁ ବିସ୍ତାର କରିବା ସହ ସହଯୋଗରେ ଏକତା ଆଣିବାକୁ ଚେଷ୍ଟା କରିଛି । ଜୟଶଙ୍କର କହିଛନ୍ତି ଯେ ଆଜିର ବୈଠକ ଅନ୍ତରାଷ୍ଟ୍ରୀୟ ସ୍ତରରେ ଥିବା ବିକଟ ପରିସ୍ଥିତି ମଧ୍ୟରେ ହେଉଛି ଏବଂ ଭାରତ ସବୁବେଳେ ମତଭେଦ କିମ୍ବା ବିବାଦକୁ କଥାବାର୍ତ୍ତା କିମ୍ବା କୂଟନୀତି ଆଧାରରେ ସମାଧାନ କରିବା ପକ୍ଷରେ ରହିଆସିଛି । ଲାବରୋବଙ୍କ ସହ କଥାବାର୍ତ୍ତା ସମୟରେ ଏହି ସୂଚନା ଦେଇଛନ୍ତି ଜୟଶଙ୍କର ।

ସେହିଭଳି ଋଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି ଯେ ଅତୀତରେ ଅନେକ କଠିନ ପରିସ୍ଥିତିରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚିରସ୍ଥାୟୀ ରହିଆସିଛି । ଭାରତ ସହ ଆମ ସମ୍ପର୍କ ସୁଦୃଢ଼ ରହିଛି । ସବୁ କ୍ଷେତ୍ରରେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଛୁ ।

ଜୟଶଙ୍କର ଏବଂ ଲାବରୋବଙ୍କ ମଧ୍ୟରେ ବୈଠକ ଏମିତି ସମୟରେ ହୋଇଛି ଯେତେବେଳେ ଗୋଟିଏ ଦିନ ପୂର୍ବରୁ ଆମେରିକା ଚେତାବନୀ ଦେଇଥିଲା ଯେ ଋଷ ବିରୋଧରେ ଆମେରିକାର ପ୍ରତିବନ୍ଧକରେ ବାଧା ଉତ୍ପନ କରୁଥିବା ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

Get real time updates directly on you device, subscribe now.