ଚଳିତ ମାସ ଏହି ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିବ ରୁଷ୍: ଆମେରିକା ଗୁପ୍ତଚର ସଂସ୍ଥା ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ରୁଷିଆଙ୍କୁ ନେଇ ଯୁଦ୍ଧର ଆଶଙ୍କା ଜାରି ରହିଛି । ରୁଷିଆ ତିନିପଟରୁ ୟୁକ୍ରେନରୁ ଘେରି ସାରିଥିବାରୁ ଯେ କୌଣସି ସମୟରେ ସେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ୟୁକ୍ରେନରୁ ସୈନ୍ୟ ଫେରାଇ ଆଣିବା ପାଇଁ ଦୁଇଦିନ ପୂର୍ବେ ଆମେରିକା ରୁଷକୁ ବୁଝାଇ ନଥିଲା । ମାତ୍ର ରୁଷ୍ ନିଜ ଜିଦରେ ଏବେ ବି ଅଟଳ ରହିଛି । ବର୍ତ୍ତମାନ ୟୁକ୍ରେନ ସୀମାରେ ରୁଷ ୧ ଲକ୍ଷ ୩୦ ହଜାର ସୈନ୍ୟଙ୍କୁ ଠୁଳ କରିଥିବା ଜଣାପଡ଼ିଛି । ଏଥିସହ ମିସାଇଲ, ଏୟାର ଫୋର୍ସ, ନେଭି ଓ ସ୍ପେଶାଲ ଫୋର୍ସଙ୍କୁ ମଧ୍ୟ ନିୟୋଜିତ କରିସାରିଛି । ଇତିମଧ୍ୟରେ ଆମେରିକାରର ଗୁପ୍ତଚର ସଂସ୍ଥା ଏକ ତଥ୍ୟର ଖୁଲାସା କରିଛନ୍ତି । ରୁଷ୍ କେବେ ୟୁକ୍ରେନ ଉପରେ ଆକ୍ରମଣ କରିବ, ସେନେଇ ପୂର୍ବାନୁମାନ କରିଛି ।

ଗୁଇନ୍ଦା ରିପୋର୍ଟ ମୁତାବକ, ରୁଷ୍ ଅତ୍ୟନ୍ତ ଗୋପନୀୟ ଭାବେ ପଦକ୍ଷେପ ନେଉଛି । ଅପରପକ୍ଷେ ଆମେରିକାର ଗୁପ୍ତଚର ସଂସ୍ଥା ମଧ୍ୟ ରୁଷର ରଣନୀତିକୁ ବୁଝିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ତେବେ ଏନେଇ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ୧୬ ତାରିଖରେ ରୁଷ ୟୁକ୍ରେନ୍ ଉପରେ ଆଟାକ୍ କରିପାରେ । ତେବେ ଏହି ଗୁପ୍ତ ସୂଚନା କେତେ ସତ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟ ଏକ ରିପୋର୍ଟ ମୁତାବକ, ଚୀନରେ ଅନୁଷ୍ଠିତ ୱିଣ୍ଟର ଅଲିମ୍ପିକ ଆସନ୍ତା ୨୦ ତାରିଖରେ ସମାପ୍ତ ହେବ । ଏହି ଇଭେଣ୍ଟ ସମାପ୍ତ ହେବା ପୂର୍ବରୁ ରୁଷ୍ ଆକ୍ରମଣ କରିବାର ଅନୁମାନ କରାଯାଉଛି । ତେବେ ସେ ଯାହା ବି ହେଉ, ରୁଷ ଯଦି ଆକ୍ରମଣ କରେ, ତେବେ ଆମେରିକା ମଧ୍ୟ ଚୁପ୍ ବସିବ ନାହିଁ ବୋଲି କହିସାରିଛି । ତେଣୁ ଏହା ନିଶ୍ଚିତ ଭାବେ ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ।