ଗୋଟେ ପଟେ ଶାନ୍ତି ବାର୍ତ୍ତା , ଅନ୍ୟପଟେ ରୁଷର ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣ; 9 ମୃତ
ଗୋଟିଏ ପଟେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ଫଳରେ 9 ଜଣ ସାଧାରଣ ନାଗରିଙ୍କ ମୃତ୍ୟୁ ହୋଇଛି ।
କିଭ୍: ଗୋଟିଏ ପଟେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଅନ୍ୟପଟେ ରୁଷ ୟୁକ୍ରେନର ସୁମି ଅଞ୍ଚଳରେ ଏକ ମିନିବସ ଉପରେ କରିଛି ଡ୍ରୋନ ଆକ୍ରମଣ । ଯେଉଁଥିରେ 9 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 4 ଜଣ ଆହତ ହୋଇଛନ୍ତି।
ସୂଚନାମୁତାବକ ବିଲୋପିଲିଆ ସହରରୁ ସାଧାରଣ ନାଗରିକଙ୍କୁ ଏକ ମିନିବସ ଯୋଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଡ୍ରୋନ ଆଟାକ୍ ହୋଇଥିଲା । ଫଳରେ ଶାନ୍ତି ଆଲୋଚନା ବିଫଳ ହୋଇଛି । ତେବେ ଶନିବାର ସକାଳ ପ୍ରାୟ ୬ଟାରେ ଏହି ଆଟାକ୍ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ମହିଳା ଏବଂ ତିନି ଜଣ ପୁରୁଷ ଥିଲେ।
ପ୍ରାଥମିକ ଚିକିତ୍ସା ପରେ, ଆହତମାନଙ୍କୁ ସୁମି ଅଞ୍ଚଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ। ଏନେଇ ସେ ସହରରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି । ସୁମିର ଆଞ୍ଚଳିକ ପ୍ରଶାସନ ଏହାକୁ “ରୁଷର ଯୁଦ୍ଧ ଅପରାଧ” ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଋଷ ଜାଣିଶୁଣି ସାଧାରଣ ନାଗରିକ ଗାଡ଼ି ଉପରକୁ ଆକ୍ରମଣ କରିଛି ।
2022 ଫେବୃଆରୀ 14ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି। ପ୍ରାୟ 3 ବର୍ଷ ପରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଥମଥର ପାଇଁ ଶୁକ୍ରବାର ତୁର୍କୀର ଇସ୍ତାନବୁଲରେ ସିଧାସଳଖ ପରସ୍ପର ସହ କଥା ହୋଇଥିଲେ। ହେଲେ ଏହି ଶାନ୍ତି ଆଲୋଚନାର କିଛି ଘଣ୍ଟା ପରେ ହିଁ ରୁଷ ଡ୍ରୋନ ଦ୍ୱାରା ୟୁକ୍ରେନର ସାଧାରଣ ଲୋକଙ୍କ ଉପରେ ହମଲା କରିଛି।
ଉଭୟ ପକ୍ଷ 1000 କଏଦୀଙ୍କୁ ଅଦଳବଦଳ କରିବାକୁ ରାଜି ହୋଇଥିଲେ, କିନ୍ତୁ ଯୁଦ୍ଧବିରତି ପାଇଁ କୌଣସି ନିର୍ଯାସ ବାହାରି ପାରିନଥିଲା। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି “ସର୍ତ୍ତହୀନ ଯୁଦ୍ଧ ବିରତି ” ଚାହୁଁଥିଲେ ଏବଂ କହିଥିଲେ ଯେ ଯଦି ରୁଷ ଏହାକୁ ନମାନେ, ତେବେ ତା’ ଉପରେ କଠୋର କଟକଣା ଲାଗୁ କରାଯିବା ଉଚିତ। କିନ୍ତୁ ମସ୍କୋ ଯୁଦ୍ଧବିରତି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା ।