fbpx

ଯବାନଙ୍କୁ ମିଳିଲା ‘ସୁରକ୍ଷା କବଚ’: ଫରୱାର୍ଡ ପୋଷ୍ଟରେ ନିଯୁକ୍ତି ପାଇଁ ସେନାର ରଣନୀତି

ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ପାଇଁ ସମସ୍ତ କ୍ଷେତ୍ରରେ ନିଜ ଶକ୍ତି ବଢାଇବାରେ ଲାଗିଛି ଭାରତୀୟ ସେନା । ଶତ୍ରୁରାଷ୍ଟ୍ରକୁ ମାତ ଦେବା ପାଇଁ ଭାରତୀୟ ସେନା ତିଆରି କରୁଛି ନୂଆ ମାଷ୍ଟରପ୍ଲାନ । ଏଲଓସିରେ ଅବସ୍ଥିତ ବିଏସଏଫର ଫରୱାର୍ଡ ଲୋକେସନ ପୋଷ୍ଟରେ ଯବାନମାନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଏବେ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ପାଇଁ ଇଣ୍ଡିଆନ ଆର୍ମିକୁ ସମସ୍ତ ପାଣିପାଗକୁ ସୁହାଇଲା ଭଳି କଣ୍ଟେନର ଯୋଗାଇ ଦିଆଯିବ । ଏହାଦ୍ୱାରା ବର୍ଡରରେ ନିୟୋଜିତ ନିଯୁକ୍ତିରେ ସହାୟ ହେବ ଏବଂ ଅଧିକ ସତର୍କତା ସହ ଫରୱାର୍ଡ ପୋଷ୍ଟର ସୁରକ୍ଷା କରି ପାରିବେ ଯବାନ । ପାକିସ୍ତାନ ପକ୍ଷରୁ ପ୍ରାୟ ସମୟରେ ହେଉଥିବା ଗୁଳିଚାଳନାରୁ ନିଜକୁ ରକ୍ଷା କରିବା ପାଇଁ ଖାସ ରଣନୀତି ପ୍ଲାନ କରିଛି ସେନା ବିଭାଗ ।

ଶୀତ ଦିନେ ଏଲଓସି ନିକଟସ୍ଥ ବିଏସଏଫର ଫରୱାର୍ଡ ପୋଷ୍ଟରେ ତାପମାତ୍ରା -୩୦ଡିଗ୍ରୀରୁ -୪୦ଡିଗ୍ରୀ ପର୍ଯ୍ୟନ୍ତ କମିଯାଇଥାଏ । ଫଳରେ ଏଠାରେ ସୀମାକୁ ରକ୍ଷା କରୁଥିବା ଭାରତୀୟ ଯବାନ ମାନଙ୍କ ପାଇଁ ନାନା ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପିୟୁଏଫ ଶେଲ୍ଟର ଅର୍ଥାତ ସମସ୍ତ ପାଣିପାଗକୁ ସୁହାଇବା ଭଳି କଣ୍ଟେନର ଯୋଗାଇ ଦିଆଯିବ । ଯବାନମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ।

କଣ୍ଟେନର ଭିତରେ ରୋଷେଇ ଘର ସହିତ ଟଏଲେଟ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଦ୍ୱାରା ଏହା ଭିତରୁ ବାହାରକୁ ଯିବାର ଆବଶ୍ୟକତା ପଡିବ ନାହିଁ । ତେବେ ପାକିସ୍ତାନ ତରଫରୁ ଲଗାତାର ହେଉଥିବା ଆକ୍ରମଣରୁ ମଧ୍ୟ ଏହି କଣ୍ଟେନର ରକ୍ଷା କରିବ ବୋଲି କୁହାଯାଇଛି ।

ତେବେ ଏହି ସବୁ ସୁବିଧା ଉପଲବ୍ଧ କରାଗଲେ ଯବାନମାନଙ୍କ କାର୍ଯ୍ୟକ୍ଷମତାରେ ବୃଦ୍ଧି ପାଇବ । ଏହାସହିତ ଏହିଭଳି ସମସ୍ତ ପାଣିପାଗକୁ ସୁହାଇଲା ଭଳି ଶେଲ୍ଟର ହୋମ ମଧ୍ୟ ରହିବ । ଯଦି ଥଣ୍ଡାରେ ଅଧିକ ବରଫପାତ ହୁଏ, ତେବେ ମଧ୍ୟ ଏହାର ତାପମାତ୍ରା ନିୟନ୍ତ୍ରଣ ରହିବ ବୋଲି କହିଛନ୍ତି ବିଏସଏଫ କଶ୍ମୀର ଆଇଜି ରାଜାବାବୁ ସିଂହ ।

Get real time updates directly on you device, subscribe now.