fbpx

ସାହା ଓ ଆୟରଙ୍କ ଲଢୁଆ ଅର୍ଦ୍ଧଶତକ: ଗ୍ରୀନପାର୍କରେ ଦୃଢ ସ୍ଥିତିରେ ଭାରତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ରେ ପାଳି ଘୋଷଣା କରିବା ସହିତ ୨୮୩ ରନରେ ଅଗ୍ରଣୀ ରହିଥିଲା । ୨୮୪ ରନର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ମାତ୍ର ୪ ରନରେ ଗୋଟିଏ ୱିକେଟ ହରାଇ ସଙ୍କଟରେ ପଡିଛି ।

ପ୍ରଥମ ଦିନର ଅସମାପ୍ତ ସ୍କୋର ୧୪/୧ରୁ ଖେଳ ଆରମ୍ଭ କରିଥିଲା ଭାରତ । ୧୮ ରନ ଯୋଡିବା ପରେ ଜେମିସନଙ୍କ ଶିକାର ହୋଇ ୨୨ ରନରେ ପ୍ୟାଭିଲିୟନ ଫେରିଥିଲେ ପୂଜାରା । ଏହାପରେ ଅଧିନାୟକ ରାହାଣେ ମଧ୍ୟ ମାତ୍ର ୪ ରନ କରି ଏଜାଜ ପଟେଲଙ୍କ ଶିକାର ହୋଇଥିଲେ । ମୟଙ୍କ ଅଗ୍ରୱାଲ (୧୭) ଓ ରବୀନ୍ଦ୍ର ଜାଡେଜା (୦) ଆଉଟ ହେବା ବେଳକୁ ଦଳର ସ୍କୋର ମାତ୍ର ୫୧ ରନ ରହିଥିଲା । ତେବେ ଶ୍ରେୟସ ଆୟର(୬୫) ଏବଂ ଆର ଅଶ୍ୱିନ ୩୨ ଇନିଂସ ସଜାଡିବା ଆରମ୍ଭ କରିଥିଲେ । ୧୨୫ ବଲ ଖେଳି ଆୟର ୮ ଚୌକା ଓ ୧ ଛକା ସହିତ ୬୫ ରନ କରିଥିବା ବେଳେ ଅଶ୍ୱିନ ୬୨ ବଲ ଖେଳି ୫ ଚୌକା ସହିତ ୩୨ ରନ କରିଥିଲେ । ୱିକେଟ କିପର ରିଦ୍ଧିମାନ ସାହା (୬୧) ଓ ଅକ୍ଷର ପଟେ(୨୮)ଙ୍କ ମଧ୍ୟରେ ଅବିଭାଜିତ ୬୭ ରନର ଭାଗିଦାରୀ ହେବା ସହିତ ଭାରତ ୨୩୪/୭ରେ ଇନିଂସ ଘୋଷଣା କରିଥିଲେ । ସାହା ୧୨୬ ବଲ ଖେଳି ୪ ଚୌକା ଓ ୧ ଛକା ମାରି ଅପରାଜିତ ଥିବା ବେଳେ ଅକ୍ଷର ପଟେଲ ୬୭ ବଲ ଖେଳି ୨ ଚୌକା ଓ ୧ ଛକା ମାରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜେମିସନ୍ ୪୦ ଓ ସାଉଦି ୭୫ ରନ ଦେଇ ୩ଟି ଲେଖାଏଁ ୱିକେଟ ନେଇଥିଲେ । ୨୮୪ ରନର ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ତୃତୀୟ ଓଭରରେ ୱିକେଟ ହରାଇଥିଲା । ଅଶ୍ୱିନଙ୍କ ବଲରେ ଲେଗ ବିଫୋର ହୋଇ ମାତ୍ର ୨୨ ରନ କରି ପ୍ୟାଭିଲିୟନ ଫେରିଥିଲେ ୱିଲ ୟଙ୍ଗ ।

Get real time updates directly on you device, subscribe now.