fbpx

ୟୁପିରେ ବିଜେପିର ବିଜୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଲେ ସାଇନା, ଆରଏଲଡି ସଭାପତି କହିଲେ- ‘ସରକାରୀ ସଟଲର’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଦଳ ୭୫ଟି ଆସନରୁ ୬୫ଟିରେ ବିଜୟ ହାସଲ କରିଛି। ସେପଟେ ବିରୋଧୀ ଚିତପଟାଙ୍ଗ। ୟୁପିରେ ବିଜେପିର ଏହି ସଫଳତାରେ ଦେଶର ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ସାଇନାଙ୍କ ଯୋଗୀଙ୍କୁ ଅଭିନନ୍ଦନ ଜଣାଇବାକୁ ହଜମ କରି ପାରି ନାହିଁ ଆରଏଲଡି। ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଏଡି)ର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ସାଇନାଙ୍କୁ ‘ସରକାରୀ ସଟଲର’ ଆଖ୍ୟା ଦେଇଛନ୍ତି।

ସାଇନା ଶନିବାର ରାତିରେ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପିର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହାର ଦେଢ ଘଣ୍ଟା ପରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ ଟ୍ଵିଟ୍ କରି ସାଇନାଙ୍କୁ ସମାଲୋଚନା କରିଛନ୍ତି। ସେ ବ୍ୟାଡମିଣ୍ଟନରେ ବ୍ୟବହାର ହେଉଥିବା ଶବ୍ଦର ପ୍ରୟୋଗ କରି ସାଇନାଙ୍କୁ ସରକାରୀ ସଟଲର ଆଖ୍ୟା ଦେଇଛନ୍ତି। ଏପରିକି ମତଦାତାଙ୍କ ନିର୍ଣ୍ଣୟକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ସେଲିବ୍ରିଟୀଙ୍କ ଉପରେ ମୁହଁତୋଡ ଡ୍ରପ୍ ସଟ୍ ଖେଳିବା ଦରକାର ବୋଲି ଜୟନ୍ତ ଚୌଧୁରୀ କହିଛନ୍ତି।

ଉଲ୍ଲେଖନୀୟ, ଶନିବାର ଉତ୍ତର ପ୍ରଦେଶ ଜିଲ୍ଲା ପଞ୍ଚାୟତ ସଭାପତି ପଦ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ବିପୁଳ ବିଜୟ ହାସଲ କରିଛି। ବିଜେପି ୭୫ ଆସନରୁ ୬୫ ଟି ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ସମାଜବାଦ ପାର୍ଟିକୁ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ଅନ୍ୟ ଦଳ ୪ଟି ଆସନ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୦୨୨ ମାର୍ଚ୍ଚରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନରେ ମିଳିଥିବା ସଫଳତା ବିଜେପି ପାଇଁ ସଞ୍ଜୀବନିର କାମ କରିପାରେ।

Get real time updates directly on you device, subscribe now.