fbpx

ପଡିଆରେ ଗୁଣ୍ଡାଗର୍ଦି ପଡିଲା ମହଙ୍ଗା, ଚାରୋଟି ମ୍ୟାଚରୁ ବାସନ୍ଦ ହେଲେ ସାକିବ ଅଲ ହାସନ

ଢାକା ୧୨।୦୬: ଢାକା ପ୍ରିମିୟର ଲିଗ୍ର ମ୍ୟାଚ୍ ବେଳେ ପଡିଆରେ ଅଶୋଭନୀୟ ଆଚରଣ କରିବା ସହ ଗୁଣ୍ଡାଗିରି କରିଥିବା ବାଂଲାଦେଶ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡିଛି। ଟୁର୍ଣ୍ଣାମେଣ୍ଟରୁ ଆଗାମୀ ଚାରୋଟି ମ୍ୟାଚରୁ ତାଙ୍କୁ ବାସନ୍ଦ କରାଯାଇଛି। ଏଥିସହ ବାଂଲାଦେଶ ମୁଦ୍ରା ଅନୁଯାୟୀ ୫ ଲକ୍ଷ ଟାକାର ଜରିମାନା ଲଗାଯାଇଛି। ଏବେ ସାକିବ ବାଂଲାଦେଶରେ ଖେଳାଯାଉଥିବା ଢାକା ପ୍ରିମିୟର ଟି-୨୦ ଲିଗ୍ର ଆଗାମୀ ଚାରୋଟି ମ୍ୟାଚରେ ପଡିଆକୁ ଓହ୍ଲାଇବେ ନାହିଁ।
ବୁଧବାର ଖେଳାଯାଇଥିବା ମ୍ୟାଚରେ ସାକିବ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିବା ସହ ପଡିଆରେ ଅଶୋଭନୀୟ ଆଚରଣ କରିଥିଲେ। ଏପରିକି ସେ ଷ୍ଟମ୍ପକୁ ଗୋଇଠା ମାରିବା ସହ ଉପାଡି ଫିଙ୍ଗି ଦେଇଥିଲେ। କିନ୍ତୁ ମ୍ୟାଚ ପରେ ସାକିବ ନିଜର ଏହି ବ୍ୟବହାର ପାଇଁ କ୍ଷମା ମାଗିଥିଲେ। ବାଂଲାଦେଶର ଖବରକାଗଜ ବିଡିକ୍ରିକଟାଇମ ଅନୁଯାୟୀ, ମହମ୍ମଦୀନ ସ୍ପୋର୍ଟିଂ କ୍ଲବର ଅଧିନାୟକ ସାକିବ ଅଲ ହାସନଙ୍କୁ ତାଙ୍କର ଖରାପ ବ୍ୟବହାର ପାଇଁ ଢାକା ପ୍ରିମିୟର ଲିଗ୍ର ଚାରୋଟି ମ୍ୟାଚରୁ ବାସନ୍ଦ କରାଯାଇଛି। ସେ ଅଷ୍ଟମ, ନବମ, ଦଶମ ଏବଂ ଏକାଦଶ ମ୍ୟାଚ୍ ଖେଳି ପାରିବେ ନାହିଁ।
ସାକିବ ଢାକା ପ୍ରିମିୟର ଲିଗ୍(ଡିପିଏଲ)ର ବୁଧବାର ଖେଳା ଯାଇଥିବା ୪୦ତମ ମୁକାବିଲା ବେଳେ ପଡିଆରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହି ମୁକାବିଲା ମୋହମଡମ ସ୍ପୋର୍ଟିଂ ଓ ଅବାହାମୀ ଲିମିଟେଡ୍ କ୍ଲବ ମଧ୍ୟରେ ଢାକାର ସେର ଏ ବାଙ୍ଗଲା ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମହମ୍ମଦୀନ ସ୍ପୋର୍ଟିଂ ୨୦ ଓଭରରେ ୧୪୫ ରନ କରିଥିଲା। ଏହି ମ୍ୟାଚ୍ରେ ସାକିବ ୩୭ ରନ କରିଥିବା ବେଳେ ମହମୁଦୁଲ ହସନ ୨୨ ବଲରୁ ୩୦ ରନ କରିଥିଲେ। ଜବାବରେ ଆବାହାମୀ କ୍ଲବ ତିନି ଓଭରରେ ୯ ରନରେ ୩ଟି ଓ୍ଵିକେଟ୍ ହରାଇଥିଲା।
ଅମ୍ପାୟରଙ୍କ ସାମ୍ନାରେ ଷ୍ଟମ୍ପ ଉଖାଡି ଫିଙ୍ଗିଥିଲେ
ଏହା ପରେ ସାକିବ ଅଲ ହସନ ବୋଲିଂ ପାଇଁ ଆସିଥିଲେ। କ୍ରିଜରେ ବ୍ୟାଟିଂ କରୁଥିଲେ ମୁସଫିକର ରହିମ। ତାଙ୍କର ଏକ ସିଧା ବଲ ମୁସଫିକର ରହିମଙ୍କ ପ୍ୟାଡରେ ଯାଇ ବାଜିଥିଲା। ସାକିବ ଏଲବିଡବ୍ଲ୍ୟୁ ପାଇଁ ଜୋରଦାର ଅପିଲ୍ କରିଥିଲେ। ମାତ୍ର ଅମ୍ପାୟର ରହିମଙ୍କୁ ନଟଆଉଟ୍ ଦେଇଥିଲେ। ଏଥିରେ ସାକିବ ଏତେ କ୍ଷୁବ୍ଧ ଥିଲେ ଯେ, ଷ୍ଟମ୍ପକୁ ଗୋଇଠା ମାରିଥିଲେ। କେବଳ ଏତିକି ନୁହେଁ ନିଷ୍ପତ୍ତିକୁ ନେଇ ଅମ୍ପାୟରଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ। ହେଲେ ଏହାର ପରବର୍ତ୍ତୀ ଓଭରରେ ସାକିବ ପୁଣି ଥରେ ନିଜ କ୍ରୋଧ ସମ୍ଵରଣ କରି ପାରିନଥିଲେ ଏବଂ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏଥର ସହ ଅମ୍ପାୟରଙ୍କ ପାଖକୁ ଦୌଡି ଯାଇଥିଲେ। ଲାଗୁଥିଲା ସେ ଅମ୍ପାୟରଙ୍କୁ ପିଟି ପକାଇବେ। କିନ୍ତୁ ସେ ତିନି ଷ୍ଟମ୍ପ ଉପାଡି ଫିଙ୍ଗି ଦେଇଥିଲେ। ତାଙ୍କର ଏହି ବ୍ୟବହାର ଦେଖି ସମସ୍ତେ ହତବାକ ହୋଇ ପଡିଥିଲେ।
ପଡିଆରେ ତାଙ୍କର ଏହି ଅଶୋଭନୀୟ ବ୍ୟବହାର ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥିଲା। ପ୍ରଶଂସକ ସାକିବଙ୍କ ଏମିତି ବ୍ୟବହାର ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିଛି ପ୍ରଶଂସକ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦେଇଥିଲେ କାରଣ ସେ ନିକଟରେ ବାସନ୍ଦ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି।

Get real time updates directly on you device, subscribe now.