ଭାରତୀୟ କର୍ପୋରେଟ ସେକ୍ଟରରେ ୯.୫ ପ୍ରତିଶତ ବୃଦ୍ଧି ପାଇବ ଦରମା, ଜାଣନ୍ତୁ କ’ଣ କହୁଛି WTW ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତୀୟ କମ୍ପାନୀ ଏହାର କର୍ମଚାରୀଙ୍କ ଦରମାରେ ବୃଦ୍ଧି କରିପାରେ । ଏନେଇ ମଙ୍ଗଳବାର ପ୍ରକାଶିତ WTW ରିପୋର୍ଟ ଆକଳନ କରିଛି । WTWର ଲେଟେଷ୍ଟ ସାଲେରି ବଜେଟ୍ ପ୍ଲାନିଂ ରିପୋର୍ଟ ଅନୁଯାୟୀ ୨୦୨୫ରେ ଭାରତରେ ହାରାହାରି ଦରମା ବୃଦ୍ଧି(salary hike) ୯.୫% ରହିବା ନେଇ ଅନୁମାନ କରାଯାଇଛି । ଏହା ୨୦୨୪ର ବାସ୍ତବିକ ସାଲେରି ହାଇକ୍ ସହ ସମାନ ।

ଆସନ୍ତା ବର୍ଷ(୨୦୨୫) ଫାର୍ମା ସେକ୍ଟରରେ ସର୍ବାଧିକ ପ୍ରାୟ ୧୦% ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ମାନ୍ୟୁଫ୍ୟାକଚରିଂ(୯.୯%), ଇନସ୍ୟୁରାନ୍ସ(୯.୭%), ରିଟେଲରେ(୯.୬%) । ସେହିପରି ସଫ୍ଟୱେୟାର ଏବଂ ବ୍ୟବସାୟ କ୍ଷେତ୍ରରେ ଦରମା ବୃଦ୍ଧି ୯% ରହିବା ନେଇ ଅନୁମାନ କରାଯାଇଛି । ଏହି ତାଲିକାରେ ଶୀର୍ଷରେ ରହିଛି ଭାରତୀୟ କର୍ପୋରେଟ ଜଗତ(୯.୫%), ଏହା ପରେ ଭିଏତନାମ(୭.୬%), ଇଣ୍ଡୋନେସିଆ(୬.୫%), ଫିଲିପାଇନ୍ସ(୫.୬%), ଚୀନ ଏବଂ ଥାଇଲ୍ୟାଣ୍ଡ(୫-୫%) । WTWର ରିୱାର୍ଡ୍ସ ଡାଟା ଇଣ୍ଟେଲିଜେନ୍ସ ଦ୍ୱାରା ସଂଗୃହିତ ତଥ୍ୟ ଉପରେ ଆଧାରିତ ଏହି ରିପୋର୍ଟ ଚଳିତ ବର୍ଷ ଏପ୍ରିଲ ଏବଂ ଜୁନରେ କରାଯାଇଥିଲା । ବିଶ୍ୱର ୧୬୮ ଦେଶର କମ୍ପାନୀ ଠାରୁ ପ୍ରାପ୍ତ ପ୍ରାୟ ୩୨ ହଜାର ଏଣ୍ଟ୍ରି ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେରେ ଭାରତର ପ୍ରାୟ ୭୦୯ ଜଣ ଲୋକ ସାମିଲ ଥିଲେ । WTWର କନସଲଟିଂ ଲିଡର ରାଜୁଲ ମାଥୁରଙ୍କ କହିବାନୁଯାୟୀ ଭାରତରେ କମ୍ପାନୀଗୁଡ଼ିକ ଅଭିବୃଦ୍ଧିକୁ ନେଇ ଆଶାବାଦୀ ଥିବା ସହ ସତର୍କ ମଧ୍ୟ ଅଛନ୍ତି । ବୃହତ ଇସ୍ତଫାର ଯୁଗ ପଛରେ ରହିଯାଇଛି । ବର୍ତ୍ତମାନ ଉଭୟ କମ୍ପାନୀ ଏବଂ କର୍ମଚାରୀ ସ୍ଥିରତା ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରଦର୍ଶନ ଆଧାରରେ କମ୍ପାନୀ ହାଇକ୍ ଦେବା ଉପରେ ଗୁରୁତ୍ୱାରୋପ କରୁଛି । ଉଦାହରଣ ସ୍ୱରୂପ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁୁ ହାରାହାରି ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ତୁଳନାରେ ୩ ଗୁଣା ବର୍ଦ୍ଧିତ ଦରମା ମିଳିବା ନେଇ ସମ୍ଭାବନା ରହିଛି । ସେହିପରି ହାରାହାରି ଠାରୁ ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ହାରାହାରି ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ତୁଳନାରେ ୧.୨% ବର୍ଦ୍ଧିତ ଦରମା ମିଳିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.