fbpx

ଆଜି ପାଳନ ହେଉଛି ସମ୍ବଲପୁରୀ ଦିବସ: ଉତ୍ସବମୁଖର ପଶ୍ଚିମଓଡ଼ିଶା

ଭୁବନେଶ୍ୱର: ଆଜି ହେଉଛି ସମ୍ବଲପୁରୀ ଦିବସ । ଏଥିପାଇଁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଶତବାର୍ଷିକୀ ଠାରୁ ଏହି ଦିବସ ପାଳନ କରାଯାଇ ଆସୁଅଛି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧିବାକୁ କହିଛନ୍ତି ।

ପ୍ରତିବର୍ଷ ଏହି ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରି ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍‌ ବେଶୀ। ଦେଶ ବିଦେଶରେ ଏହା ପରିଚିତ। ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି।

ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ। କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ ଆଦି ପର୍ବ ସମ୍ବଲପୁର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ।

ଏହାଛଡ଼ା ସମ୍ବଲପୁରୀ ଶାଢ଼ିର ବି ସାରାଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି କହିଲେ ମଧ୍ୟ ଭୁଲ ହେବ ନାହିଁ। ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି।

 

Get real time updates directly on you device, subscribe now.