fbpx

ରହସ୍ୟ ଘେରରେ ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣା; ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଓଡ଼ିଶା ଭାସ୍କର: ପରଲୋକରେ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସନା ବାନୋ । ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ସ୍କ୍ରବ୍‌ ଟାଇଫସ୍‌ ବୋଲି କୁହାଯାଉଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମାତ୍ର ସ୍ଲୋ ପଏଜନ୍‌ ଯୋଗୁ ରୁକ୍‌ସନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ ।

ସୂଚନାନୁସାରେ, ବଲାଙ୍ଗୀର ବସ୍‌ଷ୍ଟାଣ୍ଡ୍‌ରେ ଶୁଟିଂ ଚାଲିଥିବା ବେଳେ ଅଗଷ୍ଟ ୨୭ରେ ରୁକ୍‌ସନା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଭବାନୀପାଟଣା, ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣାରେ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରୁକସନାଙ୍କ ମାଆ । ଏହି ମାମଲାରେ ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ କଳାକାରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ରୁକସନାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ତାଙ୍କ ମାଆ । ବରଗଡ଼ରେ ସୁଟିଂ ହୋଇଥିବା ‘ସମ୍ବଲପୁରିଆ ଫୁଲ’ ଗୀତରେ ରୁକସନା ଅଭିନୟ କରିବା ପରେ ବିବାଦ ଦେଖାଦେଇଥିବା ସେ କହିଛନ୍ତି । ଏପରିକି ଏହି ଗୀତରେ ଅଭିନୟ ପରେ ରୁକସନାଙ୍କୁ ଅନ୍ୟ ସମସ୍ତ ପ୍ରଡକ୍ସନରୁ ଜାଣିଶୁଣି ବାଦ୍ ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ସୁଟିଂ ସେଟରେ ରୁକସନା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ମଧ୍ୟ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ କୌଣସି ଥାନାରେ ଅଭିଯୋଗ କରିନଥିବା ରୁକସନାଙ୍କ ମାଆ କହିଛନ୍ତି । ରୁକସନାଙ୍କ ମୃତ୍ୟୁ ପଛରେ ଅସାମାଜିକ ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି ।

Get real time updates directly on you device, subscribe now.