fbpx

ଯାଚିକା ଗ୍ରହଣ ନ ହେବାରୁ ଭିନ୍ନ ତରିକାରେ କଲେ ପ୍ରତିବାଦ, ସୁପ୍ରିମକୋର୍ଟ ପରିସରରେ ପରସ୍ପରକୁ ମୁଦି ପିନ୍ଧାଇଲେ ଦୁଇ ସମଲିଙ୍ଗୀ

Advertisement

ନୂଆଦିଲ୍ଲୀ: ଗତକାଲି ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ମନା କରିବା ପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ମାନ୍ୟତା ନିମନ୍ତେ ଯାଚିକା ଦାଖଲ କରିଥିବା ଏକ ସମଲିଙ୍ଗୀ ଯୋଡି ଆଜି କୋର୍ଟ ପରିସରରେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଏହି ଦୁଇ ଯୁବକଙ୍କ ନାମ ଅନନ୍ୟ କୋଟିଆ ଓ ଉତ୍କର୍ଷ ସକ୍ସେନା ।

ଅନନ୍ୟ ନିଜ ଏକ୍ସ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅନନ୍ୟ ନିଜ ଆକାଉଣ୍ଟରେ ଲେଖିଛନ୍ତି, କାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବହୁତ ଦୁଃଖ ଲାଗିଲା । ଆଜି ଆମେ ୨ ଜଣ ପୁଣି କୋର୍ଟକୁ ଗଲୁ ଯେଉଁଠି ଆମ ଅଧିକାର ଖାରଜ କରି ଦିଆଯାଇଥିଲା । ସେଠାରେ ଆମେ ପରସ୍ପରକୁ ମୁଦି ପିନ୍ଧାଇଲୁ । ଆମେ କିନ୍ତୁ ଆମର ଲଢେଇ ଜାରି ରଖିବୁ । ଏମାନେ ପରସ୍ପରକୁ ମୁଦି ପିନ୍ଧାଉଥିବାର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଉତ୍କର୍ଷ ସୁପ୍ରିମକୋର୍ଟର ଜଣେ ଓକିଲ । ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ପିଏଚ୍‌ଡି କରିଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ପିଏଚଡି କରୁଥିବା ଅନନ୍ୟ କୋଟିଆଙ୍କ ସହ ତାଙ୍କର କଲେଜ ସମୟରୁ ଭେଟ ହୋଇଥିଲା । ଏହାପରେ ୨ ଜଣଙ୍କ ମଧ୍ୟରେ ଆଫେୟାର ଆରମ୍ଭ ହୋଇଥିଲା । ଅନନ୍ୟ କହିଛନ୍ତି ଦିଲ୍ଲୀ ୟୁନିଭରସିଟିର ହଂସରାଜ କଲେଜରେ ପଢିବା ସମୟରୁ ଆମ ମଧ୍ୟରେ ସଂପର୍କ ଗଢି ଉଠିଥିଲା । ଉଭୟ କହିଛନ୍ତି ଆମକୁ ଜଣାନାହିଁ କେବେ ଭାରତରେ ସମଲିଙ୍ଗୀ ସଂପର୍କକୁ ସ୍ୱୀକୃତି ମିଳିବ ଆଉ ଆମକୁ ବିବାହ କରିବାର ଅଧିକାର ମିଳିଯିବ । ଆମେ ନିଜର ଅଧିକାର ପାଇଁ ବେଶ୍ ଦୀର୍ଘ ଲଢେଇ ଲଢି ସାରିଲୁଣି ବୋଲି ଅନନ୍ୟ କହିଛନ୍ତି ।

Get real time updates directly on you device, subscribe now.