fbpx

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ

ଭୁବନେଶ୍ୱର,୧୪/୪, ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସନାତନ ବିସିଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଏଭଳି ଦୁଖଦ ସମୟରେ ଈଶ୍ୱର ତାଙ୍କ ପରିବାରବର୍ଗକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଦାସବର୍ମା ଶୋକବାର୍ତାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ ସନାତନ ବିଶି ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ଦୁଇ ଥର ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ। ଏଥି ସହିତ ସେ ରାଜ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ସ୍ବର୍ଗତ ବିସି ଜଣେ ବିଶିଷ୍ଟ ରାଜନେତା, କ୍ରୀଡାବିତ ଓ କ୍ରୀଡା ସଙ୍ଗଠକ ରହି ଆସିଥିଲେ। ସମ୍ବଲପୁର ଷ୍ଟାଡିୟମ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ଓଡ଼ିଶା ଅଲମ୍ପିକ ଆସୋସିଏସନ ସହ ଜଡିତ ଥିଲେ। ଶ୍ରମିକ କଲ୍ୟାଣ ନିମନ୍ତେ ତାଙ୍କର ଜୀବନ ବ୍ୟାପି ସଂଗ୍ରାମକୁ ଆମେ ସ୍ମରଣ କରୁଛୁ। ସେ ଛାତ୍ର ଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସମ୍ବଲପୁର ଜିଲ୍ଲା ଜନତା ଦଳର ସଭାପତି ହୋଇଥିଲେ। ବିଜୁ ଜନତା ଦଳ ପଶ୍ଚିମ ଓଡ଼ିଶାର ବିକାଶର ଜଣେ ଧୁରିଣ ନେତାଙ୍କୁ ହରାଇଲା ବୋଲି ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରେ ସଞ୍ଜୟ ଦାସବର୍ମା କହିଛନ୍ତି।

Get real time updates directly on you device, subscribe now.