ବଦଳିବେ ମୁଖ୍ୟମନ୍ତ୍ରୀ: ରାଜ୍ୟର ମୁଖିଆ ପରିବର୍ତ୍ତନ କରିବା ପାଇଁ ବିଜେପି ନେତାଙ୍କ ଦାବି, ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ
ପୁଣେ: ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ବିଜେପି ଏବଂ ମହାବିକାଶ ଅଘାଡି ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ତେବେ ଏହି ପରିସ୍ଥିତିରେ ସବୁଠୁ ଚର୍ଚ୍ଚାରେ ଏବେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ । କିଛି ଦିନ ତଳେ ଉଦ୍ଧବ ଠାକରେଙ୍କ ସରକାର ଭୁଷୁଡି ପଡିବା ଆଶଙ୍କା ହେଉଥିବା ମତ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହାପରେ ଆଜି ପୁଣି ଏକ ବଡ ଦାବି କରି ସେ ଚର୍ଚ୍ଚା ଘେରରେ । ଚନ୍ଦ୍ରକାନ୍ତଙ୍କ ଆଜିର ମତ ସାରା ରାଜ୍ୟର ରାଜନୀତିରେ ଏକ ବିରାଟ ଝଡର ପୂର୍ବାଭାଷ ବୋଲି ବିଚାର କରାଯାଉଛି ।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଚନ୍ଦ୍ରକାନ୍ତ ଘୋଷଣା କରି ଦେଇଛନ୍ତି । ପାଟିଲ କହିଛନ୍ତି ଯେ, ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏବେ ଏନସିପି ନେତା ଶରଦ ପାୱାରଙ୍କ ସେହି ଏଜେଣ୍ଡାରେ କାମ କରୁଛନ୍ତି, ଯେଉଁଥିରେ ସେ ଉଦ୍ଧବଙ୍କୁ ହଟାଇ ରାଜ୍ୟର ନୂଆ ମୁଖିଆ ହୋଇ ପାରନ୍ତି । ସେପଟେ ଉଦ୍ଧ ରହୁଥିବା ମୁମ୍ବାଇ ଘର “ମାତେଶ୍ରୀ”କୁ ନିଅଁ ସହ ଓପାଡି ଫୋପାଡି ଦେବାକୁ ଷଡଯନ୍ତ୍ର ଚାଲୁଥିବା କହିଛନ୍ତି ଶ୍ରୀ ପାଟିଲ । ତେବେ ଜଣେ ବନ୍ଧୁ ଭାବରେ ଏହି କଥା ଉଦ୍ଧବଭ୍କୁ ଜଣାଇ ଦେବା ଉଚିତ ବୋଲି ଚନ୍ଦ୍ରକାନ୍ତ କହିଛନ୍ତି । ଶରଦ ପାୱାର ନିଜ ଝିଅ ସୁପ୍ରିୟା ସୁଲେଙ୍କୁ ସିଧାସଳଖ ରାଜ୍ୟ ରାଜନୀତିକୁ ଆଣି ପାରୁ ନଥିବାରୁ ସଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ସୁଗମ ହେବ ବୋଲି ପ୍ରକାଶ କରିଛନ୍ତି ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ।