fbpx

ବହୁ ଚର୍ଚ୍ଚିତ ଅନନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣା: ଜଣେ ନାବାଳକ ସହ ୬ ଗିରଫ, ସିସିଟିଭି ଫୁଟେଜରୁ ମିଳିଥିଲା ସୁରାକ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ଏସ୍‌.ପି ସୂଚନା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । କିନ୍ତୁ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଏଯାବତ ଗିରଫ ହୋଇନଥିବା ବେଳେ ପୁଲିସ ପାଖରେ ଯାହା ତଥ୍ୟ ପ୍ରମାଣ ଅଛି ସେଥିରେ ସମ୍ପୃକ୍ତ ଥିବା ଷଡଯନ୍ତ୍ରକାରୀ ନିଶ୍ଚିତ ଗିରଫ ହେବ କିନ୍ତୁ କିଛି ସମୟ ଲାଗିବ କହିଛନ୍ତି ଏସ୍‌.ପି ପିନାକ ମିଶ୍ର । ସମ୍ପୃକ୍ତ ଘଟଣାରେ ବର୍ତ୍ତମାନ ଜଣେ ନାବାଳକ ସମେତ ୬ ଜଣଙ୍କୁ ଗିରଫ କରିଛି ପୁଲିସ । ଘଟଣାରେ ବ୍ୟବହୃତ ୩ ଟି ଖଣ୍ଡା, ୨ ବାଇକ୍‌, ୬ଟି ମୋବାଇଲ୍‌ ଫୋନ୍‌, ଦୁଇଟି ଗଜ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି ପୁଲିସ । ଏନେଇ ସମସ୍ତ ତଥ୍ୟ ବ୍ରହ୍ମପୁର ଏସପି କାର୍ଯ୍ୟଳୟ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ପିନାକ୍‌ ମିଶ୍ର ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ବ୍ରହ୍ମପୁର ଉପକଣ୍ଠ ବାଉରୀ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି ନିର୍ମମ ଭାବେ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଆଜିକୁ ୧୦ ଦିନ ବିତିଛି । ପରେ ପୋଲିସର ବହୁ ଛାନବିନ ପାରେ ଜଣେ ନାବାଳକ ସମେତ ୬ଜଣଙ୍କୁ ଗିରଫ କରିଛି ପୁଲିସ । ନାବାଳକ ସମେତ ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବନ୍ଥଲ୍ଲୀ ଗ୍ରାମର ଦୁଇ ଭାଇ ଜୟସେନ ସ୍ୱାଇଁ, ମିଥୁନ ସ୍ୱାଇଁ, ଅନ୍ୟ ଅଭିଯୁକ୍ତ ମାନେ ହେଲେ ବନ୍ଥଲ୍ଲୀ ଗ୍ରାମର ସାଗର ଗଙ୍ଗା ସ୍ୱାଇଁ, ନନ୍ଦନ ବେହେରା ଓ କାହ୍ନୁ ବିଷୋୟୀ । ଏ ସମସ୍ତ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ ଓ ବୈଷୟିକ ତଥ୍ୟକୁ ଆଧାର କରି ଗିରଫ କରାଯାଇ ନିୟମ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର । ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ହତ୍ୟା ପଛରେ ଥିବା ରହସ୍ୟ ଓ ଷଡଯନ୍ତ୍ରକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ସହ ଏହି ଘଟଣାର ଖୁଲାସା କରାଯିବ ବୋଲି ଏସ୍‌.ପି କହିଛନ୍ତି । ହତ୍ୟାକାଣ୍ଡ ତଦନ୍ତରେ ଟାଉନ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ନେତୃତ୍ୱରେ ବଡ଼ ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଏବଂ ଦିଗପହଣ୍ଡି ଆଇଆଇସିଙ୍କ ତ୍ୱତାବଧାନରେ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଟିମ୍‌ର ସଦସ୍ୟମାନେ ମିଳିତ ଭାବେ ତଦନ୍ତ କରି ରାଉଲକେଲା ଯାଇ ପ୍ରଥମେ ଜୟସେନକୁ ପରେ ପଞ୍ଜାବ ଭାଟିଣ୍ଡାରୁ ମିଥୁନ କୁମାର ସ୍ୱାଇଁଙ୍କୁ ଉଠେଇ ଆଣିଥିଲା ପୁଲିସ ।

ସେହିପରି ଦିଲ୍ଲୀରୁ ସାଗର ଗଙ୍ଗା ସ୍ୱାଇଁ, ନନ୍ଦନ ବେହେରା ଏବଂ ବନ୍ଥଲ୍ଲୀ ଗ୍ରାମରୁ କାହ୍ନୁ ବିଷୋୟୀ ଅନ୍ୟତ୍ର ସ୍ଥାନରୁ ନାବାଳକକୁ ପୁଲିସର ସ୍ୱତନ୍ତ୍ର ଟିମ୍‌ ଠାବ କରିଥିଲା । ଠାବ କରିବା ପରେ ଏହି ଘଟଣାରେ ୨ଟି ଖଣ୍ଡା ଘଟଣା ସ୍ଥଳରୁ ଜବତ ହୋଇଥିବା ବେଳେ ଅନ୍ୟ ଏକ ଖଣ୍ଡା ପିତାମ୍ବରପୁର ବନ୍ଧରୁ ଆଉ ଏକ ଖଣ୍ଡା ଜବତ ସହ ୨ ବାଇକ୍‌, ୬ ଟି ମୋବାଇଲ୍‌ ଫୋନ୍‌, ଦୁଇଟି ଗଜ ଜବତ କରିଥିବା ପୁଲିସ କହିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ପୁଣି ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ ନିମନ୍ତେ ପୁଲିସ ଆବେଦନ କରିବ ବୋଲି କୁହାଯାଇଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଖୋଜା ଚାଲିଥିବା ବେଳେ ଆଗାମୀ ଦିନରେ ବ୍ରହ୍ମପୁର ପୁଲିସକୁ କେତେ ସଫଳତା ମିଳୁଛି ତାହାହିଁ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.