ସତୀ ଦାହ ପ୍ରଥାକୁ ନେଇ ଭାରତରେ ଅତୀତରେ ଅନେକ ତର୍କ ବିତର୍କ ହୋଇଛି । ଏହାକୁ ଇତିହାସର ଏକ କଳଙ୍କିତ ଅଧ୍ୟାୟ ଭାବେ ବିବେଚନା କରାଯାଏ । ତେବେବି ଏହି ସ୍ମୃତିକୁ ବଜାୟ ରଖିବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ଠାରୁ ୧୨ କିଲୋମିଟର ଦୂରରେ ପଡେ ଧରାକୋଟ ଗଡ଼। ଏହି ଗଡର ଆରପଟେ ରହିଛି ଋଷୁକୁଲ୍ୟା ନଦୀ ଆଉ ନଦୀକୁ ଲାଗି ସ୍ମଶାନ । ଏହି ସ୍ମଶାନ ପାଖରେ ଏହି ମାତା ସତୀଙ୍କ ମଠ । ଏହି ସତୀ ମଠ ଧରାକୋଟ ରାଜ ବଂଶର ସ୍ମଶାନସ୍ଥଳ ଏବଂ ମଠ ମହନ୍ତଙ୍କ ସମାଧିସ୍ଥଳ ବୋଲି ମଧ୍ୟ କୁହାଯାଏ। ତେବେ ସତୀ ମଠ ଧରାକୋଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହି ମଠର ବିଶେଷତ୍ୱ ହେଲା ଏବେବି ଏଠି ଜଳୁଛି ସତୀଙ୍କ ଚିତା । ଏହି ନିଆଁକୁ ନିର୍ବାପିତ ହେବାକୁ ଦିଆଯାଇନାହିଁ। ହେଲେ ଏହି ମଠକୁ ସତୀ ମଠ ଦେବା ବିଷୟରେ ମଧ୍ୟ ରହିଛି ଏକ ଘଟଣା ଆସନ୍ତୁ ଜାଣିବା ଏହାର ଅତୀତ।
ଗଞ୍ଜାମ ରାଜତନ୍ତ୍ରକୁ ଓଲଟାଇଲେ ଧରାକୋଟ ରାଜ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଧରାକୋଟ ନାମକରଣ ପୂର୍ବରୁ ଏହା ଥିଲା ଖିଡିସିଙ୍ଗି ରାଜ୍ୟ। ୧୧୬୮ରେ ରାଜା ହାଡୁ ସିଂହଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରାଜବଂଶର ଷଷ୍ଠ ରାଜା ଜୟ ସିଂହ ୧୭୫୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବରଣ କରିଥିଲେ। ଜୟ ସିଂହଙ୍କ ଚିତା ଯୋଗାଡ଼ କରି ରାଣୀ ପଦ୍ମମାଳା ଦେବୀ ସେହି ଚିତାରେ ନିଜେ ଝାସ ଦେଇଥିଲେ। ସେହି ସମୟରେ ଜଣେ କୌପିନି ଧାରୀ ଅବଧୂତ ବୈଷ୍ଣବ ବାବା ନିରାକାର ଦାସ ଏହି କାର୍ୟ୍ୟକୁ ଗମ୍ଭୀରତାର ସହ ନେଇ ଚିତାର ଅଗ୍ନି ଲାଗିଥିବା କାଠ ଗଣ୍ଡିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୂଜା କରିବାର ବ୍ୟବସ୍ଥା କଲେ। ସେହି ସ୍ଥାନରେ ଏକ କୁଟୀର ନିର୍ମାଣ କରିବା ସହ ପରବର୍ତ୍ତୀ ସମୟରେ ସେଠାରେ ଏକ ମଠ ସ୍ଥାପନ କରିଛନ୍ତି ସପ୍ତମ ରାଜା ରାଜେନ୍ଦ୍ର ସିଂହ । ଏହି ମଠକୁ ସତୀ ମଠ ବୋଲି ନାମ ଦେଇ ସତୀ ଚିତାକୁ ଅନିର୍ବାପିତ ରଖିବା ପାଇଁ କହିଥିଲେ। ଏହା ପରେ ୧୭୮୮ ଖ୍ରୀଷ୍ଟାବ୍ଦରେ ରାଜା କୃଷ୍ଣ ସିଂହଙ୍କ ମୃତ୍ୟୁ ପରେ ତାଙ୍କର ଚିତାରେ ରାଣୀ ଚନ୍ଦ୍ରମା ଦେବୀ ମଧ୍ୟ ଝାସ ଦେଇଥିଲେ।
ସତୀ ମଠର ଏକ ଗୃହ ମଧ୍ୟରେ ଶହ ଶହ ବର୍ଷ ଧରି ନିଆଁ ଜଳୁଥିବା କଥା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତୀକାଠ ଗଣ୍ଡି ପରେ କାଠ ଗଣ୍ଡି ଅନେକ କାଠ ଗଣ୍ଡି ଜଳିଛି। ଏଠାରେ ପ୍ରତିଦିନ ସକାଳ ସଞ୍ଜରେ ପୂଜା କରାଯାଇ ଘୃତ ଆହୁତି ଦିଆ ଯାଏ। ଏବେ ଏହି କାର୍ୟ୍ୟ କରୁଛନ୍ତି ଏବର ମଠାଧୀଶ କୃପାସିନ୍ଧୁ ଦାସ । ଏହାଙ୍କ ପୂର୍ବରୁ ୧୫ ଜଣ ବାବାଙ୍କ ସମାଧି ମଠ ପରିସରରେ ରହିଛି। ସତୀ ମଠ ପରିଚାଳନା ଓ ରକ୍ଷଣାବେକ୍ଷଣର ବ୍ୟବସ୍ଥା ଧରାକୋଟ ରାଜ ପରିବାର ପକ୍ଷରୁ କରାଯାଉଛି ।