fbpx

ସତୀଶଙ୍କୁ କରାଯାଇଛି ହତ୍ୟା: ୧୫ କୋଟି ଟଙ୍କା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର, ଦିଲ୍ଲୀ ପୋଲିସ ଆଗରେ ମହିଳାଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗତ ୯ ତାରିଖରେ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଥିଲା । ତେବେ ହୃଦଘାତ କାରଣରୁ ସତୀଶଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ପରେ ଏହି ମୃତ୍ୟୁକୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା । ସତୀଶଙ୍କ ମୃତ୍ୟୁ ଏକ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଥିବା ପୋଲିସ ସୂଚନା ଦେଇଥିଲା । ତାଙ୍କର ମୃତ୍ୟୁ ପରେ ଆଜି ଫାର୍ମ ହାଉସରୁ ପୋଲିସ କିଛି ସନ୍ଦିଗ୍ଧ ଜିନିଷ ପାଇଥିଲା ।

ତେବେ ଏହା ମଧ୍ୟରେ ସତୀଶଙ୍କ ମୃତ୍ୟୁକୁ ପୁଣି ଏକ ବଡ଼ ରହସ୍ୟର ଖୁଲାସା ହୋଇଛି । ସତୀଶଙ୍କୁ ଟଙ୍କା ପାଇଁ ହତ୍ୟା କରାଯାଇଛି । ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏନେଇ ଏକ ଅଭିଯୋଗ ଦାୟର ହୋଇଛି । ସତୀଶଙ୍କୁ କିଛି ମେଡିସିନ ଦିଆଯାଇ ହତ୍ୟା କରାଯାଇଥିବା ଜଣେ ମହିଳା ଦାବି କରିଛନ୍ତି । ତେବେ ଏଥିପାଇଁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଦାୟୀ କରିଥିବା ଜଣାପଡ଼ିଛି ।

ମହିଳାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ୧୫ କୋଟି ଟଙ୍କା ପାଇଁ ସତୀଶଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି । ତାଙ୍କ ସ୍ୱାମୀ ଦୁବାଇରେ ନିବେଶ କରିବା ଉଦ୍ଦେଶ୍ୟରେ ସତୀଶଙ୍କ ଠାରୁ ଏହି ଅର୍ଥ ଉଧାର ନେଇଥିଲେ । ମାତ୍ର ତାଙ୍କର ସ୍ୱାମୀ ଉକ୍ତ ଅର୍ଥ ସତୀଶଙ୍କୁ ଫେରାଇବାକୁ ଚାହୁଁ ନଥିଲେ । ଗତ ୨୦୧୯ ମସିହା ମାର୍ଚ୍ଚ ୧୩ ତାରିଖରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ମହିଳାଙ୍କୁ ସତୀଶଙ୍କ ସହ ସାକ୍ଷାତ କରାଇଥିଲେ । ସତୀଶଙ୍କ ସହିତ ତାଙ୍କର ନିୟମିତ ଭାବେ ଭାରତ ଓ ଦୁବାଇରେ ଦେଖା ହେଉଥିଲା ।

ଗତବର୍ଷ ଅଗଷ୍ଟ ୨୩ରେ କୌଶିକ ଦୁବାଇରେ ତାଙ୍କ ଘରକୁ ଯାଇଥିଲେ ଓ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ମାଗିଥିଲେ । ଏହା ପରେ ମହିଳା ଜଣଙ୍କ ଡ୍ରଇଂ ରୁମରେ ଥିବା ବେଳେ ସତୀଶ ଓ ସ୍ୱାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତିନିବର୍ଷ ବିତିଯିବା ପରେ କାହିଁକି ଅର୍ଥ ଫେରାଇ ନାହଁ ବୋଲି ସତୀଶ କହିଥିଲେ । ଏଥିସହିତ ସେ ନିବେଶ କରୁନାହାନ୍ତି କି ଟଙ୍କା ଫେରାଉ ନାହାନ୍ତି କେବଳ ଠକି ଚାଲିଛନ୍ତି ବୋଲି ତାଙ୍କ ସ୍ୱାମୀଙ୍କୁ ସତୀଶ କହିଥିଲେ ।

ମହିଳା ଜଣଙ୍କ ଦୁବାଇର ଏକ ପାର୍ଟିରେ ବ୍ୟବସାୟୀ ଓ ସତୀଶଙ୍କର ଏକ ଫଟୋ ଶେୟାର କରିଛନ୍ତି । ତେବେ ସତୀଶଙ୍କ ଦେହାନ୍ତ ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରିଥିଲେ । ଟଙ୍କା ନ ଫେରାଇବା ପାଇଁ ତାଙ୍କ ସ୍ୱାମୀ ନିଜ ସାଥୀଙ୍କ ସହିତ ମିଶି ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ । ତାଙ୍କ ସ୍ୱାମୀ ନିଶା ଦ୍ରବ୍ୟ ଦେଇ ସତୀଶଙ୍କୁ ହତ୍ୟା କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଅଧିକାରୀମାନେ ମାନେ ଏନେଇ କୌଣସି ବୟାନ ଦେଇନାହାନ୍ତି । ଏକ ସୂତ୍ର ମୁତାବକ, ଫାର୍ମ ହାଉସରେ ହୋଇଥିବା ପାର୍ଟିରେ ସାମିଲ ହୋଇଥିବା ୨୫ ଜଣଙ୍କୁ ପଚରାଉଚରା ଯାଇ ଡକାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.