(Video) ମଝି ଆକାଶରୁ ମୋଦିଙ୍କ ବିମାନକୁ ପାଛୋଟି ଆଣିଲା ସାଉଦୀ ଫାଇଟର ଜେଟ୍; ‘ଏ ବତନ’ ଗୀତ ଗାଇଲେ ସାଉଦୀ ସିଙ୍ଗର

ସାଉଦି ଆରବରେ ମୋଦି । ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ କଲେ ପ୍ରିନ୍ସ ।

ଜେଦାହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦୀ ଆରବରେ ପହଞ୍ଚିଛନ୍ତି । କ୍ରାଉନ ପ୍ରିନ୍ସ ସଲମାନଙ୍କ ନିମନ୍ତ୍ରଣ କ୍ରମେ ମୋଦି ୨ ଦିନିଆ ସାଉଦୀ ଆରବ ଗସ୍ତରେ ଅଛନ୍ତି ।

ସାଉଦୀ ଗସ୍ତରେ ପ୍ରିନ୍ସଙ୍କ ତରଫରୁ ସାଉଦୀରେ ଭବ୍ୟ ସ୍ୱାଗତର ଆୟୋଜନ କରାଯାଇଛି । ମୋଦିଙ୍କ ବିମାନକୁ ସାଉଦୀ ଆରବର ଫାଇଟର ଜେଟ୍ ମଝି ଆକାଶରେ ପାଛୋଟି ଆଣିଥିଲେ ।

ପ୍ରିନ୍ସ ସଲମାନ ନିଜେ ମୋଦିଙ୍କ ବିମାନ ବାହାରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ । ଜେଦାହ ଯିବା ପୂର୍ବରୁ ମୋଦ କହିଥିଲେ, ଭାରତ ସାଉଦୀ ଆରବ ସହିତ ଥିବା ସମ୍ପର୍କର ମୂଲ୍ୟ ରଖିବ । ଗତ ୧୦ ବର୍ଷ ଧରି ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ପୂର୍ବକ ଜାରି ରହିଛି ।

ସାଉଦୀ ଆରବ ସହ ସମ୍ପର୍କକୁ ଆଗାମୀ ଦିନରେ ସୁରୁଖୁରୁରେ ଚଳାଇବା ପାଇଁ ମୋଦି ସ୍ପଷ୍ଟ କରିଛନ୍ତି । ସାଉଦୀ ଆରବରେ ଥିବା ଭାରତୀୟମାନଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସାଉଦୀ ପ୍ରିନ୍ସ ସଲମାନ ସ୍ଥାନୀୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,ପଶ୍ଚମ ଏସିଆରେ ଭାରତ ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ପାର୍ଟନର । ସାଉଦୀ ଆରବ ପାଇଁ ଭାରତ ସାମୁଦ୍ରିକ ପଡ଼ୋଶୀ, ବିଶ୍ୱସ୍ତ ବନ୍ଧୁ ଏବଂ ସହଯୋଗୀ ମଧ୍ୟ ।
ମୋଦି ନିଜ ଶାସକାଳ ମଧ୍ୟରେ ପୂର୍ବରୁ ସାଉଦୀ ଆରବ ଯାଇଥିବାବେଳେ ୨୦୨୩ରେ ପ୍ରିନ୍ସ ସଲମାନ ଭାରତ ଗସ୍ତରେ ଆସିଥିଲେ ।

ଜେଦାହରେ ପହଞ୍ଚିବା ପରେ ସାଉଦୀ ସିଙ୍ଗର ‘ଏ ବତନ’ ଗୀତ ଗାଇ ମୋଦୀଙ୍କୁ ସ୍ୱାଗତ କରିଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।